ବାଣପୁର: ବାଣପୁର ତାଲୁକ ଆଇନ ସେବା ସମିତି ଆନୁକୂଲ୍ୟରେ ଆଜି ସ୍ଥାନୀୟ ଶ୍ରୀ ଅରବିନ୍ଦ ସ୍କୁଲ ଏଫ ଇଣ୍ଟେଗ୍ରାଲ ଏଜୁକେସନ ପରିସରରେ ମାନବାଧିକାର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ଆଇନ ସଚେତନତା ସଭାର ଆୟୋଜନ ହୋଇଥିଲା। ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ତଥା ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ର ଉକ୍ତ ସଭାରେ ଅଧ୍ୟକ୍ଷତା କରିଥିବାବେଳେ ବାଣପୁର ଓକିଲ ସଂଘ ସମ୍ପାଦକ ଜଗଦୀଶ ପଟ୍ଟନାୟକ, ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସଞ୍ଜୟ କୁମାର ଦାସ ପ୍ରମୁଖ ଉକ୍ତ ସଭାରେ ଯୋଗ ଦେଇଥିଲେ।
ଏହି ଅବସରରେ ମୁଖ୍ୟ ଅତିଥି ବିଚାରପତି ଶ୍ରୀ ମହାପାତ୍ର ବିଦ୍ୟାଳୟର ଛାତ୍ରଛାତ୍ରୀ ଙ୍କୁ ମାନବାଧିକାର ଦିବସ ପାଳନର ତାତ୍ପର୍ଯ୍ୟ ବିଷୟରେ ବୁଝାଇଥିଲେ। ମନୁଷ୍ୟ ଟି ମନୁଷ୍ୟ ପରି ବଞ୍ଚିବା ଅଧିକାର, ଶିକ୍ଷାଗତ ଅଧିକାର, ସମାନତା ଅଧିକାର, ବଞ୍ଚିବା ପାଇଁ ଜଳ ଓ ସ୍ୱାସ୍ଥ୍ୟଗତ ଅଧିକାର,ନିଃଶୁଳ୍କ ଆଇନସେବା ଅଧିକାର ଏବଂ ବିଚାରଧୀନ ବନ୍ଦୀ ତ୍ୱରିତ ନ୍ୟାୟ ପାଇବା ପାଇଁ ତାହାର ଅଧିକାର ଥିବା ବିଚାରପତି ଶ୍ରୀ ମହାପାତ୍ର ତାଙ୍କ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ। ତେବେ ମୁଖ୍ୟ ଅତିଥିଙ୍କ ଠାରୁ ମାନବାଧିକାର ବିଷୟରେ ବହୁମୂଲ୍ୟ ତଥ୍ୟ ଗ୍ରହଣ କରି ଛାତ୍ରଛାତ୍ରୀ ମାନେ ବେଶ ଖୁସି ଅନୁଭବ କରିଥିଲେ।
ପରିଶେଷରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ଦାସ ଧନ୍ୟବାଦ ପ୍ରଦାନ କରିଥିଲେ।


