ବାଣପୁର: ବାଣପୁର ତାଲୁକ ଆଇନ ସେବା ସମିତି ଆନୁକୂଲ୍ୟରେ ଆଜି ବାଣପୁର କୋର୍ଟ ପରିସରରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ତଥା ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ର ଏବଂ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଇପ୍ସିତା ପ୍ରିୟ ଏକ୍କା ମିଳିତ ଭାବେ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ଯୋଗଦେଇ ବିଭିନ୍ନ ବିଚାରଧୀନ ମାମଲାର ଫଇସଲା କରିଥିଲେ।ତତସହିତ ବିଭିନ୍ନ ବ୍ୟାଙ୍କର ପ୍ରାକ ବିବାଦୀୟ ମକଦ୍ଦମା ଗୁଡିକୁ ମଧ୍ୟ ଆପୋଷ ବୁଝାମଣା ମାଧ୍ୟମରେ ସମାଧାନ କରାଯାଇଥିଲା।
ଉକ୍ତ ଲୋକ ଅଦାଲତରେ ସମୁଦାୟ ୧୧୭ ଗୋଟି ମାମଲାର ଫଇସଲା ହୋଇଥିବା ବେଳେ ତନ୍ମଧ୍ୟରୁ ୮ ଗୋଟି ଦେୱାନୀ ମାମଲା ଏବଂ ୧୦୯ ଗୋଟି ଫୌଜଦାରୀ ମାମଲା ର ଫଇସଲା ହୋଇଥିଲା। ଉକ୍ତ ଲୋକ ଅଦାଲତରେ ବାଣପୁର ଓ ବାଲୁଗାଁର ବିଭିନ୍ନ ବ୍ୟାଙ୍କର ଅଧିକାରୀମାନେ ଅନାଦେୟ ଋଣ ଆଦାୟ ଲାଗି ମାମଲା ପରିଚାଳନାରେ ସହଯୋଗ କରିଥିଲେ।ବାଣପୁର ଓକିଲ ସଂଘର ସମସ୍ତ ସଦସ୍ୟ ଏବଂ ଅଦାଲତ କର୍ମଚାରୀମାନେ ଲୋକ ଅଦାଲତ ପରିଚାଳନାରେ ସହାୟତା କରିଥିଲେ।


