ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟ ଓଡ଼ିଆ ସାହିତ୍ୟ ପରିଷଦର ବାର୍ଷିକ ସାରସ୍ୱତ ସମାରୋହ, କବିତା ପାଠୋତ୍ସବ ଓ ପୁରସ୍କାର ବିତରଣ ଉତ୍ସବ ଆଜି ଅଧ୍ୟକ୍ଷ ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସାରସ୍ୱତ ସମାରୋହରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଗାଳ୍ପିକ ଶିବ ମିଶ୍ର ଓ ମୁଖ୍ୟ ବକ୍ତା ଭାବେ ପ୍ରାଧ୍ୟାପିକା ଡକ୍ଟର ଜୟନ୍ତୀ ସାମଲ ଯୋଗ ଦେଇ ଭାଷା ସାହିତ୍ୟର ବିକାଶ ପାଇଁ ଛାତ୍ର ଛାତ୍ରୀ ମାନଙ୍କର ଉତ୍ତରଦାୟୀତ୍ୱ ସମ୍ପର୍କରେ ଅବତାରଣା କରିବା ସହ ଗଳ୍ପ, କବିତା ଆଦି ସର୍ଜନଶୀଳ ଲେଖାର ଶୈଳୀ ଓ ଗଠନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ।
ସର୍ଜନଶୀଳତା ଛାତ୍ର ଛାତ୍ରୀମାନଙ୍କ ହୃଦୟକୁ ବିସ୍ତାରିତ କରିବା ସହ ମଣିଷ, ପ୍ରକୃତି ଓ ଜଗତ ସହ କିପରି ଏକାତ୍ମ ହେବାକୁ ପ୍ରେରିତ କରେ ତାହା ଅତିଥିମାନେ ଆଲୋଚନା କରିଥିଲେ॥ ପ୍ରାରମ୍ଭରେ ଓଡ଼ିଆ ସାହିତ୍ୟ ପରିଷଦର ଉପଦେଷ୍ଟା ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିବା ପରେ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ବିଭାଗୀୟ ମୁଖ୍ୟ ଅଧ୍ୟାପିକା ଝରଣା ନାଥଙ୍କ ସଂଯୋଜନାରେ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ଚାଳିଶ ଜଣ ଛାତ୍ର ଛାତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ।
କବିତା ପାଠୋତ୍ସବ ପରେ ଅଧ୍ୟାପିକା ଶୁଭଦର୍ଶିନୀ ବିଶ୍ୱାଳଙ୍କ ମଞ୍ଚ ସଂଯୋଜନାରେ ଅନୁଷ୍ଠିତ ଅନୁଷ୍ଠାନିକ ସାରସ୍ୱତ ସଭାରେ ସଭାପତି ଡକ୍ଟର ଲକ୍ଷ୍ମୀଧର ସୁବୁଦ୍ଧି, ମୁଖ୍ୟ ଅତିଥି କଥାକାର ଶିବ ମିଶ୍ର, ମୁଖ୍ୟ ବକ୍ତା ଡକ୍ଟର ଜୟନ୍ତୀ ସାମଲ, ଉପଦେଷ୍ଟା ଡକ୍ଟର କୈଳାସ ଚନ୍ଦ୍ର ମହାରଣା ଓ ସମ୍ମାନିତ ଅତିଥି ଭାବେ କବି ରବୀନ୍ଦ୍ର ପ୍ରଧାନ, ରବୀନ୍ଦ୍ର ମାନସିଂହ, ବ୍ୟଙ୍ଗକବି ରୋଜି ମିଶ୍ର, ଗାଳ୍ପିକ ସୁଶାନ୍ତ ଦାଶ, କବି ଶଶୀଭୁଷଣ ବରାଳ, ବ୍ରଜ ଜେନା ପ୍ରମୁଖ ଯୋଗ ଦେଇ କବିତା ଓ ଗଳ୍ପ ପାଠ କରିବା ସହ ଶିକ୍ଷାର୍ଥୀମାନଙ୍କୁ ମୌଳିକ ଲେଖା ଲେଖିବା ପାଇଁ ଅନୁପ୍ରେରିତ କରିଥିଲେ।
ଏହାପରେ ସାହିତ୍ୟ ପରିଷଦ ପକ୍ଷରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ଶ୍ରେଷ୍ଠ ଛାତ୍ର ଛାତ୍ରୀ ଭାବେ ଶାଶ୍ଵତୀ ମିଶ୍ର, ପଦ୍ମିନୀ ରାଉତ, ସୁଶୀଳା ଜାଲି, ମନୀଷା ଦିହୁଡି, ପୂଜା ଦିହୁଡି ମାନଙ୍କୁ, ପ୍ରିୟଙ୍କା ବେହରା, ପ୍ରଜ୍ଞାସ୍ମିତା ସାହୁ, ସରସ୍ବତୀ ଘଟୁଆଳି, ଜଗନ୍ନାଥ ସାହୁ, ମୋନାଲି ଗୁମାନସିଂହଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିବା ପରେ ପରିଷଦ ପକ୍ଷରୁ ଅତିଥିମାନଙ୍କୁ ଅଧ୍ୟକ୍ଷ ସମ୍ବର୍ଦ୍ଧିତ କରିଥିଲେ।
ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଉପଦେଷ୍ଟା ଅଧ୍ୟାପକ ଧୋବୀଚରଣ ପରିଡା। କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଅଧ୍ୟାପିକା ଝରଣା ନାଥ।


