
ସମୀକ୍ଷା ବ୍ୟୁରୋ
ବାଣପୁର, ୫/୧୨: ଉତ୍କଳ ବିଶ୍ବବିଦ୍ୟାଳୟ ମହିଳା ଭଲିବଲ୍ ଦଳରେ ସ୍ଥାନ ପାଇଛନ୍ତି ବାଣପୁରର ଦୁଇ ଛାତ୍ରୀ ସୁନୀତା ମାର୍ଥା ଓ ସୁନୀତା ସମାନ୍ତରାୟ। ଦୁହେଁ ବାଣପୁରର ପ୍ରତିଷ୍ଠିତ କ୍ରୀଡ଼ା ଅନୁଷ୍ଠାନ ‘ମା’ ଭଗବତୀ ଗ୍ରାମୀଣ ସ୍ପୋର୍ଟସ୍ ଏକାଡେମୀର ନିୟମିତ ଖେଳାଳୀ। ଚଳିତ ମାସ ୨ ତାରିଖ ଦିନ ଅଡଶପୁର ମହାବିଦ୍ୟାଳୟଠାରେ ଅନୁଷ୍ଠିତ ଚୟନ ଶିବିରିରେ ଉନ୍ନତମାନର କ୍ରୀଡ଼ା ପ୍ରଦର୍ଶନ କରିଥିଲେ। ଉତ୍କୃଷ୍ଟ ଖେଳ ପ୍ରଦର୍ଶନ ଜରିଆରେ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରି ଦଳରେ ସ୍ଥାନ ଅଧିକାର କରିଛନ୍ତି। ସାନଅଁଳ (ପାରିକୁଦ) ଗ୍ରାମର ସନାତନ ମାର୍ଥାଙ୍କ ଝିଅ ହେଉଛନ୍ତି ସୁନୀତା ମାର୍ଥା। ବାଣପୁର ଗୋଦାବରୀଶ ମହାବିଦ୍ୟାଳୟରୁ ରାଜନୀତି ବିଜ୍ଞାନ (ସମ୍ମାନ)ରେ ସ୍ନାତକ ପାଶ କରିଥିଲେ। ଅଧୁନା ସେ ଭୁବନେଶ୍ବରସ୍ଥିତ ସରକାରୀ ଶାରିରୀକ ଶିକ୍ଷା ମହାବିଦ୍ୟାଳୟରେ ଅଧ୍ୟୟନରତା।
ସେହିପରି ସୁନୀତା ସାମନ୍ତରାୟ ହେଉଛନ୍ତି ସାନହନ୍ତୁଆଡ ଗ୍ରାମର ବାବୁ ସାମନ୍ତରାୟଙ୍କ ଝିଅ। ସମ୍ପ୍ରତି ସେ ବାଣପୁରର ଗୋଦାବରୀଶ ମହାବିଦ୍ୟାଳୟର ଇତିହାସ(ସମ୍ମାନ) ବିଭାଗରେ ଅଧ୍ୟୟନରତା। ଆସନ୍ତା ୭ ତାରିଖଠାରୁ ୧୦ ତାରିଖ ପର୍ଯ୍ୟନ୍ତ କିଟ୍ଠାରେ ଅନୁଷ୍ଠିତ ହେବାକୁ ଥିବା ଇଷ୍ଟ ଜୋନ୍ ଭଲିବଲ୍ ଟୁର୍ଣ୍ଣାମେଣ୍ଟରେ ବାଣପୁରର ଏହି ଦୁଇ ଉଦୀୟମାନ ଖେଳାଳୀ ଭାଗନେବେ। ଏହି ଅବସରରେ ଦୁହେଁ ମାର୍ଗଦର୍ଶକ ତଥା ବରିଷ୍ଠ ପ୍ରଶିକ୍ଷକ ବୈରାଗୀ ଚରଣ ବଳ ଓ ପ୍ରଶିକ୍ଷକ ବିଭଧେନ୍ଦୁ ମାନସିଂହଙ୍କୁ କୃତଞ୍ଜତା ଜଣାଇଛନ୍ତି।
ରିପୋର୍ଟର : ସୀତାରାମ ଅଗ୍ରଓ୍ବାଲ