ଚିଲିକା ବିଧାୟକଙ୍କ ନିଆରା ନବବର୍ଷ ପାଳନ, ନେହୁରୁ ସେବାସଂଘର ପିଲାଙ୍କ ସହ କାଟିଲେ ଦିନ

Published: Jan 2, 2020, 10:35 am IST

ସମୀକ୍ଷା ବ୍ୟୁରୋ

ବାଣପୁର, ୨/୧: ଅଭିନବ ଉପାୟରେ ନବବର୍ଷକୁ ପାଳିଛନ୍ତି ଚିଲିକା ବିଧାୟକ ତଥା ଖୋର୍ଦ୍ଧା ଯୋଜନାବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦ୍ଦେବ। ଶ୍ରୀ ଜଗଦ୍ଦେବ ନେହୁରୁ ସେବାସଂଘରେ ନବବର୍ଷକୁ ପାଳନ କରିଛନ୍ତି। ନେହୁରୁ ସେବା ସଂଘର ଶିଶୁମାନଙ୍କ ସହ କେକ୍ କାଟି  ନାଚ ଗୀତରେ ଝୁମିଥିଲେ। ଅନାଥ ତଥା ଦିବ୍ୟାଙ୍ଗ ପିଲାମାନଙ୍କୁ ନବବର୍ଷର ଖୁସି ଦେବା ପାଇଁ ଏକ ନିଆରା ପଦକ୍ଷେପ ଗ୍ରହଣ କରିଥିଲେ ଚିଲିକା ବିଧାୟକ। ଏହି ଅବସରରେ ଏହି ସେବାସଂଘ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରିଥିଲା। ପିଲାମାନେ ନୃତ୍ୟ ଗୀତରେ ବେଶ୍‌ ମସଗୁଲ୍‌ ରହିଥିଲେ। ସ୍ଥାନୀୟ ବିଧାୟକ ପିଲାମାନଙ୍କ ନୃତ୍ୟରେ ଖୁସି ହୋଇ ପ୍ରତ୍ୟେକ ନୃତ୍ୟକୁ ୫୦୦ଟଙ୍କା ଲେଖାଏଁ ଅର୍ଥରାଶି ସହ ଫୁଲତୋଡା ପ୍ରଦାନ କରିଥିଲେ। ଏହି ଅବସରରେ ପିଲାମାନଙ୍କ ସହ ଫଟୋ ଉଠାଇବା ସହିତ ସମସ୍ତ ଫଟୋକୁ ସୋସିଆଲ ମିଡିଆରେ ସେୟାର ମଧ୍ୟ କରିଥିଲେ ଶ୍ରୀ ଜଗଦ୍ଦେବ।

ଏକ ନିଆରା ନବବର୍ଷ ପାଳନ କରିବା ଅବସରରେ ବିଧାୟକ ଏହି ସେବାସଂଘକୁ ଏକ ପୁଣ୍ୟଭୂମି ବୋଲି କହିଛନ୍ତି। ଏହା ବାଣପୁରର ଗର୍ବ। ଏମାନେ ଏକା ନୁହଁନ୍ତି, ସରକାର ଏହି ଅନାଥ ତଥା ଦିବ୍ୟାଙ୍ଗ ପିଲାମାନଙ୍କ ସହ ସବୁବେଳେ ରହିଛନ୍ତି ବୋଲି କହିଥିଲେ ଶ୍ରୀ ଜଗଦ୍ଦେବ। ପିଲାମାନଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇବା ସହିତ ଜଗନ୍ନାଥଙ୍କ ପାଖରେ ଏହି ପିଲାମାନଙ୍କ ଉଜ୍ଜ୍ବଳ ଭବିଷ୍ୟତର କାମନା ମଧ୍ୟ କରିଛନ୍ତି। ଏହି ଅବସରରେ ନିଜେ ହାତରେ ରାତ୍ର ଭୋଜନ ପରିଷିବା ସହିତ ପିଲାମାନଙ୍କ ସହ ଏକାଠି ଭୋଜନ ମଧ୍ୟ କରିଥିଲେ ବିଧାୟକ। ଏହି ଉତ୍ସବରେ ପୂର୍ବତନ ବିଧାୟକ ଦେବେନ୍ଦ୍ର ନାଥ ମାନସିଂହ, ସୁରେନ୍ଦ୍ରନାଥ ପାତ୍ର, ବାଣପୁର ବ୍ଲକ ବିଡିଓ ପ୍ରମୁଖ ଯୋଗଦେଇଥିଲେ। ବିଧାୟକ ବହୁ ମୂଲ୍ୟବାନ ସମୟ ଦେଇଥିବାରୁ ନେହୁରୁ ସେବାସଂଘର କର୍ତ୍ତୃପକ୍ଷ ଓ ପିଲାମାନେ ବିଧାୟକଙ୍କୁ ଧନ୍ୟବାଦ ଜଣାଇବା ସହିତ ନବବର୍ଷର ଅଭିନନ୍ଦନ ଜଣାଇଥିଲେ।

ରିପୋର୍ଟର: ସୁନୀଲ କୁମାର ଭୋଳ

Related posts