କାଳବୈଶାଖିରେ ଉଜୁଡିଲା ଫସଲ : ମୁଗ ବିଲରେ ଆଣ୍ଠୁଏ ପାଣି

Published: Apr 26, 2020, 4:56 pm IST

ରମେଶ ମହାନ୍ତି

ଜଗତସିଂହପୁର: କରୋନା ଭୁତାଣୁର ଦୃତ ସଂକ୍ରମଣ ଯୋଗୁ ସାରା ରାଜ୍ୟରେ ଲକ୍ ଡାଉନ୍ ହୋଇଥିବାରୁ ଲୋକମାନେ ଘରୁ ବାହାରି ପାରୁନଥିଲେ। ଏବେ ମୁଗ ଅମଳ ସମୟ ହୋଇଥିବାରୁ ଏଇ କେଇଟା ଦିନ ହେବ ଲୋକମାନେ ଘରୁ ବାହାରି ମୁଗ ଓପାଡିବା ଆରମ୍ଭ କରୁଥିଲେ ହେଲେ ହଠାତ୍ ଆସିଲା କାଳବୈଶାଖି ଘଡଘଡି ସହିତ ପ୍ରବଳ ବର୍ଷା । ଉଜାଡି ଦେଲା ମୁଗ ଫସଲ। ବିଲରେ ଆଣ୍ଠୁଏ ପାଣି ହେବା ସହିତ ଭାସୁଛି ମୁଗଗଛ। ଚାଷୀ ପାଣିରୁ ଛାଣୁଛି ମୁଗଗଛ। ଏହିପରି ପ୍ରତିବର୍ଷ ଧାନ ହେଉ କି ମୁଗ ଅମଳ ସମୟରେ କାଳବୈଶାଖି ପରି ପ୍ରାକୃତିକ ବିପର୍ଯ୍ୟୟ ଆସି ଉଜାଡି ଦେଉଛି ଫସଲ। ଚଳିତବର୍ଷ ଏହି କାଳବୈଶାଖି ଏକପ୍ରକାର ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଥିବା କୁହାଯାଉଛି। ଏହି କାଳବୈଶାଖିରେ ଜଗତସିଂହପୁରର କନକପୁର, ତେନ୍ତୁଳିପଦା, ଗୋବିନ୍ଦପୁର, କୋଷ୍ଟିମଲ୍ଲିକାପୁର, କଟରା, ଗରାମ, ତୁଳଙ୍ଗ, ତରଜଙ୍ଗା, ପିପ୍ପଳମାଧବ, ବୋଧେଇ, କୃଷ୍ଣାନନ୍ଦପୁର, ବିଶନପୁର, କନିମୁଳ, ଦାଇଁଲୋ, ମୁଳସିଂ ସମେତ ତିର୍ତ୍ତୋଲ ବ୍ଳକର ସମସ୍ତ ପଞ୍ଚାୟତର ଚାଷୀ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ଏମିତିକି ଅନେକ ପଞ୍ଚାୟତରେ ପାଣିରେ ଭାସୁଛି ମୁଗଗଛ ଓ ଓପଡା ହୋଇଥିବା ମୁଗ। ପାଣିରେ ରହି ମୁଗ ପଚିଯିବା ଭୟରେ ଚାଷୀ ପାଣିରୁ ମୁଗଗଛ ଛାଣୁଥିବା ଦେଖିବାକୁ ମିଳୁଛି। ଉକ୍ତ ଅଞ୍ଚଳରେ ହୋଇଥିବା ମୁଗ ଫସଲର କ୍ଷୟକ୍ଷତିକୁ ପ୍ରଶାସନ ଆକଳନ କରି କ୍ଷତିଗ୍ରସ୍ତ କୃଷକମାନଙ୍କୁ ସହାୟତା ଦେବାପାଇଁ ଦାବୀ ହେଉଛି।

Related posts