
ସୀତାରାମ ଅଗ୍ରୱାଲ
ବାଲୁଗାଁ: କରୋନା ଭୂତାଣୁ ସଂକ୍ରମଣ ସାରା ରାଜ୍ୟରେ ବଢିବାରେ ଲାଗିଛି। ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ଼ ଗାଇଡ଼ଲାଇନକୁ ପାଳନ କରୁନଥିବା ଅମାନିଆଙ୍କ ଉପରେ କଡା ପଦକ୍ଷେପ ନେବାପାଇଁ ନିର୍ଦ୍ଦେଶ ଦେଉଛନ୍ତି। ରାଜ୍ୟସରକାରଙ୍କ ଏପରି ନିର୍ଦ୍ଦେଶକୁ କଡାକଡି କରିବାପାଇଁ ବାଲୁଗାଁ ଏନ୍.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ଆଗେଇ ଆସିଛନ୍ତି। ଅଞ୍ଚଳବାସୀଙ୍କୁ ପ୍ରଶାସନ ପକ୍ଷରୁ ବାରମ୍ବାର ସତର୍କ କରାଇବା ସତ୍ତ୍ୱେ କେତେ ଜଣ ଅମାନିଆ ପ୍ରଶାସନକୁ ଭ୍ରୁକ୍ଷେପ କରୁନାହାନ୍ତି।
ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଏନ.ଏ.ସି ରେ ସରକାରଙ୍କ କୋଭିଡ଼ ଗାଇଡ଼ଲାଇନକୁ କଡ଼ାକଡ଼ି ରୂପେ ପାଳନ କରି ଏହାର ସଫଳ ରୁପୟାନ କରୁଛନ୍ତି ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରେ ନୂତନ ଭାବେ ଯୋଗଦେଇଥିବା କାର୍ଯ୍ୟନିର୍ବାହୀ ଅଧିକାରୀ ଆକୃତି ଗୋଏଙ୍କା।
ଗତକାଲି ପୂର୍ବାହ୍ନ ସାଢେ ୧୧ଟାରେ ବାଲୁଗାଁ ସହରର ବିଭିନ୍ନ ବଜାର ଯଥା ଚିଲିକା ରୋଡ, ମାଛ ମାର୍କେଟ, ଗାନ୍ଧୀ ଛକ, ଆଇ.ବି ରୋଡ଼ ଆଦି ସ୍ଥାନାମାନଙ୍କରେ କାର୍ଯ୍ୟନିର୍ବାହୀ ଅଧିକାରୀ ହଠାତ୍ ପହଞ୍ଚି ଚେକିଂ କରିଥିଲେ। ତାଙ୍କ ସାଙ୍ଗରେ ଏନ.ଏ.ସି ଟିମ ନେଇ ସବୁ ଦୋକାନ ବଜାର, ଛକ ଆଦିରେ କରିଥିଲେ କଡ଼ାକଡ଼ି ଚେକିଂ। ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ ବି ଜନସାଧାରଣ ମାନେ ମାସ୍କ ପିନ୍ଧୁନାହାନ୍ତି ଏବଂ ସାମାଜିକ ଦୂରତ୍ୱ ରକ୍ଷା କରୁନାହାନ୍ତି। ଏହି ପରିପ୍ରେକ୍ଷୀରେ କାର୍ଯ୍ୟନିର୍ବାହୀ ଅଧିକାରୀ ପାଖାପାଖି ଦେଢ଼ ଘଣ୍ଟା ଚେକିଂ ରେ ୨୫ ଜଣଙ୍କଠୁ ୧୨୫୦୦ ଟଙ୍କା ଜରିମାନା ଆଦାୟ କରିଥିଲେ।
ବିଗତ କିଛି ଦିନ ହେବ ପ୍ରତ୍ୟେକ ଦିନ କାର୍ଯ୍ୟନିର୍ବାହୀ ଅଧିକାରୀ ଏହି ପରି ଚେକିଂ ଜାରି ରଖିଛନ୍ତି ଏବଂ ମାସ୍କ ପିନ୍ଧନ୍ତୁ, ସାମାଜିକ ଦୂରତ୍ୱ ରକ୍ଷା କରନ୍ତୁ କହି ଜନସାଧାରଣଙ୍କୁ ବାରମ୍ବାର ନିବେଦନ କରୁଛନ୍ତି। ଅଧିକାଂଶ ଲୋକ ନିୟମ ମାନୁଥିବାବେଳେ କିଛି ଅମାନିଆ ଆଇନ ଉଲଙ୍ଘନ କରି ତଣ୍ଡ ଗଣୁଛନ୍ତି। ଏଥିସହ ବାଲୁଗାଁ ସହରର ପ୍ରମୁଖ ସମସ୍ୟା ଗୁଡିକୁ ଯଥାଶୀଘ୍ର ସୁଧାରିବା ପାଇଁ କାର୍ଯ୍ୟନିର୍ବାହୀ ଅଧିକାରୀ ବଦ୍ଧପରିକର ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଏବଂ ଏଥିରେ ଗଣମାଧ୍ୟମ ଓ ଜନସାଧାରଣଙ୍କ ସହଯୋଗ ଲୋଡିଛନ୍ତି।
କାର୍ଯ୍ୟନିର୍ବାହୀ ଅଧିକାରୀ ଆକୃତି ଗୋଏଙ୍କାଙ୍କ ସହ ଉକ୍ତ ଚେକିଂ ର ବାଲୁଗାଁ ଏନ.ଏ.ସି ଟାକ୍ସ କଲେକ୍ଟର ଅନନ୍ତ ପଟ୍ଟନାୟକ, ସ୍ଵଚ୍ଛସାଥି ସୁପରଭାଇଜର ଉଷାରାଣୀ ମିଶ୍ର ଏବଂ ସମସ୍ତ ଏନ.ଏ. ସି ଷ୍ଟାଫ ଏବଂ ସ୍ଵଚ୍ଛସାଥିମାନେ ଉପସ୍ଥିତ ଥିଲେ।