
ରମେଶ ମହାନ୍ତି
ଜଗତସିଂହପୁର: ବାଲିକୁଦା -ଏରସମା ବିଧାୟକ ତଥା ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ଦ୍ଵାରା ମଙ୍ଗଳବାର ଦିନ ଏରସମା ବ୍ଲକ ସମ୍ମିଳନୀ କକ୍ଷରେ ଢିଙ୍କିଆ ପଞ୍ଚାୟତର ହିତାଧିକାରୀ ମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଚେକ୍ ବଣ୍ଟନ କରାଯାଇଛି। ସୂଚନା ମୁତାବକ ଢିଙ୍କିଆ ପଞ୍ଚାୟତରେ ୨୦୧୫-୧୬ ମସିହା ପାଇଁ ୨୩ଜଣ ହିତାଧିକାରୀଙ୍କୁ ଆବାସ ଯୋଜନାରେ ନାମ ଫଳକ ଲେଖିବା ପାଇଁ ୧ହଜାର ଟଙ୍କା ଲେଖାଏଁ ଓ ୩ଜଣ ହିତାଧିକାରୀଙ୍କୁ ଫାଇନାଲ ବିଲ୍ ବାବଦ ୧୦ହଜାର ଟଙ୍କା ଲେଖାଏଁ ମନ୍ତ୍ରୀ ଶ୍ରୀ ଦାସ ଚେକ୍ ପ୍ରଦାନ କରିଛନ୍ତି।
ଏହି କାର୍ଯ୍ୟକ୍ରମରେ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ଏରସମା ବିଡିଓ କୈଳାସ ଚନ୍ଦ୍ର ବେହେରା, ସାଂସଦଙ୍କ ପ୍ରତିନିଧି ପୀତବାସ ଗଚ୍ଛାୟତ ,ବ୍ଲକ୍ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ସଭ୍ୟା ଇତିଶ୍ରୀ ଭୂୟାଁ, ସ୍ବର୍ଣ୍ଣଲତା ସେନାପତି, ଗୀତାଞ୍ଜଳି ସ୍ୱାଇଁଙ୍କ ସମେତ ବ୍ଲକର କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।ଏଥିସହିତ ଜିଲ୍ଲାପାଳ ଓ ମନ୍ତ୍ରୀ ଶ୍ରୀ ଦାସ ଏରସମା ବିଡିଓଙ୍କ ସହିତ ବ୍ଲକ୍ ଅଞ୍ଚଳରେ ଲଗାଣ ବର୍ଷାରେ ବୁଡିରହିଥିବା କେତେକ ଅଞ୍ଚଳ ବୁଲି ଦେଖିବା ସହ ବର୍ଷା ଜନିତ ଜଳ ନିଷ୍କାସନ ସମସ୍ୟା ଓ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରି ଯଥାଶୀଘ୍ର ଏଦିଗରେ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପରେ ଜିଲ୍ଲାପାଳଙ୍କ ସହିତ ମନ୍ତ୍ରୀ ଶ୍ରୀ ଦାସ ଏରସମାରେ ପ୍ରତିଷ୍ଠା ହେବାକୁ ଥିବା ସିଭିଲ୍ ଜଜ୍ ଜୁନିୟର୍ ଡିଭିଜନ- ଜେ.ଏମ୍.ଏଫ୍.ସି କୋର୍ଟର ଅସ୍ଥାୟୀ ଗୃହକୁ ପରିଦର୍ଶନ କରି ଜିଲ୍ଲାପାଳଙ୍କ ସହିତ ଏବାବଦରେ ଆଲୋଚନା କରିଥିଲେ।