ନାରୀ ଶିକ୍ଷାର ଅଗ୍ରଣୀ ମହାନାୟିକା ସାବିତ୍ରୀ ବାଇ ଫୁଲେ

Published: Jan 3, 2019, 4:53 pm IST

ସମୀକ୍ଷା ବ୍ୟୁରୋ-

ଭାରତର ପ୍ରଥମ ମହିଳା ଶିକ୍ଷୟତ୍ରୀ ଓ ସମାଜ ସୁଧାରକ ସାବିତ୍ରୀ ଦେବୀ ଫୁଲେଙ୍କର ଆଜି ହେଉଛି ଜନ୍ମ ଜୟନ୍ତୀ। ତାଙ୍କର ଜନ୍ମ ୧୮୩୧ ମସିହା ମହାରାଷ୍ଟ୍ର ସ୍ଥିତ ସାତାରା ଗାଁ ର ନାଇଗାଁରେ  ହୋଇଥିଲା। ସାବିତ୍ରୀ ବାଇ ପ୍ରଥମ ୧୫୦ ବର୍ଷ ପୂର୍ବେ ମହିଳାଙ୍କର ପୁରୁଷଙ୍କ ଭଳି ସମାନ ଅଧିକାର ପାଇଁ ଲଢେଇ କରିଥିଲେ। ସେ ବ୍ରିଟିଶ ଅମଳରେ ମହିଳାଙ୍କ ଶିକ୍ଷା ଉପରେ ଜୋର ଦେଇଥିଲେ। ସେ କେବଳ ମହିଳାଙ୍କ ପାଇଁ ନୁହେଁ ଶିଶୁ ହତ୍ୟା ରୋକିବା ଦିଗରେ ମଧ୍ୟ କାମ କରିଥିଲେ। ସେ କନ୍ୟା ଶିଶୁମାନଙ୍କ ପାଇଁ ଆଶ୍ରମ ମଧ୍ୟ ଖୋଲିଥିଲେ।  ଏହି ଆଶ୍ରମ ଦୁଷ୍କର୍ମ ପୀଡ଼ିତାଙ୍କୁ ଆଶ୍ରୟ ଦେବା ସହ ସେମାନଙ୍କ ସନ୍ତାନଙ୍କ ଜନ୍ମ ଓ ଲାଳନ ପାଳନ କରିବା ଦିଗରେ କାମ କରୁଥିଲା ।

ସାବିତ୍ରୀ ବାଇ ଫୁଲେ ୧୨ ବର୍ଷରେ ଜ୍ୟୋତିବା ଫୁଲେଙ୍କୁ ବିବାହ କରିଥିଲେ। ଜ୍ୟୋତିବା ଫୁଲେ ଜଣେ ସମାଜସେବକ ସହ ଲେଖକ ମଧ୍ୟ ଥିଲେ।  ଜ୍ୟୋତିବା ଫୁଲେ ଦେଶର ସ୍ତ୍ରୀଙ୍କୁ ଶିକ୍ଷିତ କରିବା ତଥା ତାଙ୍କର ନିଜସ୍ଵ ଏକ ପରିଚୟ ସୃଷ୍ଟି କରିବା ଉଦ୍ଦେଶ୍ୟରେ  ୧୮୫୪ ମସିହାରେ ଏକ ବିଦ୍ୟାଳୟ ଖୋଲିଥିଲେ। ଏହି ବିଦ୍ୟାଳୟରେ ପଢାଇବା ପାଇଁ କେହି ଶିକ୍ଷୟିତ୍ରୀ ନ ମିଳିବାରୁ ସେ ନିଜେ ତାଙ୍କ ପତ୍ନୀ ସାବିତ୍ରୀ ଦେବୀଙ୍କୁ ଏଥିପାଇଁ ଜଣେ ଯୋଗ୍ୟ ଶିକ୍ଷୟିତ୍ରୀ ଭାବରେ ନିଯୁକ୍ତ କରିଥିଲେ ।

ସାବିତ୍ରୀ ବାଇ ଭାରତ ର ପ୍ରଥମ ବାଳିକା ବିଦ୍ୟାଳୟର ପ୍ରଥମ ଅଧ୍ୟକ୍ଷ ହୋଇଥିଲେ। ପାଠ ପଢ଼ାଇବା ପ୍ରାରମ୍ଭରୁ ଅନେକ ସେ ଅନେକ ବାଧାବିଘ୍ନର ସମ୍ମୁଖୀନ ହୋଇଥିଲେ ମଧ୍ୟ ସେ ଧୈର୍ୟ ହରା ହୋଇନଥିଲେ। ସେ ମହିଳା ତଥା କନ୍ୟା ମାନଙ୍କୁ ଶିକ୍ଷିତ କରିବାକୁ ଚାହୁଁଥିବାରୁ, ସେ ଯାଉଥିବା ରାସ୍ତା ରେ ଲୋକମାନେ ତାଙ୍କୁ ବିରୋଧ ପୂର୍ବକ ତାଙ୍କ ଉପରକୁ ମଇଳା, କାଦୁଅ, ଗୋବର ଆଦି ଫିଙ୍ଗୁଥିଲେ। ସେଥିପାଇଁ ସେ ସର୍ବଦା ନିଜ ସାଙ୍ଗରେ ଏକ ଶାଢୀ ଧରି ଯାଉଥିଲେ।  ସେ କେବଳ ମହିଳା ଶିକ୍ଷା ନୁହେ ବରଂ ସେ ସବୁ ଜାତି ତଥା ଆଦିବାସୀ  କନ୍ୟା ମାନଙ୍କୁ ଶିକ୍ଷିତ କରିବା ଦିଗରେ ସ ବିଶେଷ ଧ୍ୟାନ ଦେଇଥିଲେ। 

କେବଳ ଶିକ୍ଷା ନୁହେଁ ସାବିତ୍ରୀ ଦେବୀ ରୋଗୀଙ୍କ ସେବାକୁ ନିଜର ବ୍ରତ ବୋଲି ଧରିନେଇଥିଲେ। ଫୁଲେ ଦମ୍ପତ୍ତି ଏକ ବିଧବା ବ୍ରାହ୍ମଣ ପିଲାକୁ ନିଜର ପୋଷ୍ୟ ସନ୍ତାନ କରିଥିଲେ। ସେ ତାଙ୍କ ପୁଅ ସହ ମିଶି ଏକ ହସ୍ପିଟାଲ ଖୋଲିଥିଲେ। ଯେଉଁଠି ନିଜେ ସାବିତ୍ରୀ ବାଇ ପ୍ଲେଗ ରୋଗୀଙ୍କ ସେବା କରୁଥିଲେ। ଏହି ରୋଗୀଙ୍କ ସେବା କରୁ କରୁ ତାଙ୍କୁ ମଧ୍ୟ ଏହି ରୋଗ ହୋଇଯାଇଥିଲା। ସେ ମାର୍ଚ୍ଚ ୧୦ ତାରିଖରେ ମୃତ୍ୟୁ ବରଣ କରିଥିଲେ।

ଜଣେ ସୃଜନଶୀଳ ଲେଖିକା ଭାବେ ସାବିତ୍ରୀ ବାଇ ବହୁତ ଗୁଡିଏ କବିତା ଲେଖିଛନ୍ତି।କାବ୍ୟ ଫୁଲେ ଓ ବାବନ କାଶୀ ସୁବୋଧ ରତ୍ନାକରନାମରେ ଦୁଇଟି ସଂକଳନ ରହିଛି। ଏହି ମହାନ ମହିଳାଙ୍କ ଉଲ୍ଲେଖଯୋଗ୍ୟ ଅବଦାନ ପାଇଁ ପୁନେ ବିଶ୍ୱବିଦ୍ୟାଳୟ  ତାଙ୍କ ନାମରେ ଏହି ବିଦ୍ୟାଳୟକୁ ନାମକରଣ କରାଯାଇଛି। ସେହିପରି ତାଙ୍କ ନାମରେ ୧୯୮୮ ମସିହା ମାର୍ଚ ୧୦ ତାରିଖରେ ଭାରତୀୟ ଡାକ ଗୋଟେ ଷ୍ଟାମ୍ପ ର ପ୍ରଚଳନ ମଧ୍ୟ କରାଯାଇଛି।

 

Related posts