ସୀତାରାମ ଅଗ୍ରୱାଲ
ବାଲୁଗାଁ: ଗତକାଲି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଖଡ଼ିକାପଲି ବ୍ରିଜ ନିକଟରେ ଏକ ଡକାୟତି ହୋଇଥିଲା। ଉକ୍ତ ଡକାୟତିରେ ସମ୍ପୃକ୍ତ ୭ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣଙ୍କୁ ଘଟଣାସ୍ଥଳରେ ସ୍ଥାନୀୟ ଲୋକମାନେ କାବୁ କରି ବାଲୁଗାଁ ପୋଲିସ ଜିମା ଦେଇଥିଲେ। ତେବେ ଆଜି ଆଉ ୩ ଜଣ ଅଭିଯୁକ୍ତଙ୍କୁ ବାଲୁଗାଁ ପୋଲିସ ଗିରଫ କରିଛି ଏବଂ ଲୁଟ ଦ୍ରବ୍ୟ ସେମାନଙ୍କ ନିକଟରୁ ବରାମଦ କରିଛି।
ଏ ନେଇ ଆଜି ଅପରାହ୍ନରେ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି। ଉକ୍ତ ସମ୍ମିଳନୀରେ ବାଲୁଗାଁ ଆଇଆଇସି ରମାକାନ୍ତ ମାହାଲିକ ଏବଂ ନାଭାଲ ଫାଣ୍ଡି ଅଧିକାରୀ ଗୋବିନ୍ଦ ଚନ୍ଦ୍ର ଗୌଡ଼ ମଧ୍ୟ ଉପସ୍ଥିତ ଥିଲେ।
ଏସଡିପିଓଙ୍କ ସୂଚନା ଅନୁଯାୟୀ, ଗତକାଲି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଅଞ୍ଚଳର ଟ୍ରକ ଚାଳକ ଶଙ୍କର ସାହୁ ନିଜ ବନ୍ଧୁ ଶିଶିର ପ୍ରଧାନଙ୍କ ସହ ଚେନ୍ନାଇରୁ ଟ୍ରକ ନେଇ କଲିକତା ଯାଉଥିଲେ। ତେବେ ଦୁହେଁ ପାଖାପାଖି ଦିବା ୧ ଘଟିକା ସମୟରେ ଗାଧୋଇବା ଉଦ୍ଦେଶ୍ୟରେ ଟ୍ରକଟିକୁ ୧୬ ନମ୍ବର ଜାତୀୟ ରାଜପଥ ଖଡ଼ିକାପଲ୍ଲୀ ବ୍ରିଜ ନିକଟରେ ରଖିଥିଲେ। ସେହି ସମୟରେ ହଠାତ ଏକ ଅଟୋରେ ୭ ଜଣ ଲୁଟେରା ଆସି ଟ୍ରକ ଚାଳକ ଶଙ୍କର ଏବଂ ତାଙ୍କ ସାଙ୍ଗ ଶିଶିରଙ୍କୁ ଭୟଭୀତ କରାଇ ସେମାନଙ୍କଠାରୁ ନକଦ ୧୧ ହଜାର ଟଙ୍କା, ଗୋଟେ ମୋବାଇଲ ଫୋନ , ଗୋଟେ ଏଟିଏମ୍ କାର୍ଡ, ଗୋଟେ ଡ୍ରାଇଭିଙ୍ଗ ଲାଇସେନ୍ସ ଏବଂ ଟ୍ରକର ଚାବି ଛଡେଇନେଇଥିଲେ।
ତେବେ ଶଙ୍କର ଏବଂ ଶିଶିର ସହାୟତା ପାଇଁ ଚିତ୍କାର କରିବାରୁ ସ୍ଥାନୀୟ ଲୋକମାନେ ୩ ଜଣ ଲୁଟେରାଙ୍କୁ କାବୁ କରିନେଇଥିବା ସ୍ଥଳେ ଅଟୋ ଚାଳକଙ୍କ ସହ ଅନ୍ୟ ୩ ଜଣ ଲୁଟେରା ଅଟୋରେ କ୍ଷିପ୍ର ଗତିରେ ଫେରାର ହୋଇଯାଇଥିଲେ। ଗତକାଲି ବାଲୁଗାଁ ଥାନାରେ ଏନେଇ ୧୨/୨୧ ରେ କେସ ରୁଜୁ ହେବାପରେ ଏସଡିପିଓଙ୍କ ତତ୍ତ୍ବାବଧାନରେ ଆଇଆଇସି ରମାକାନ୍ତ ମାହାଲିକ ଏବଂ ନାଭାଲ ଫାଣ୍ଡି ଅଧିକାରୀ ଗୋବିନ୍ଦ ଚନ୍ଦ୍ର ଗୌଡ଼ ମିଳିତ ଭାବେ ଏକ ଟିମ ତିଆରି କରି ତୁରନ୍ତ ତଦନ୍ତ ଆରମ୍ଭ କରିଦେଇଥିଲେ। ତେବେ ମାମଲା ରୁଜୁ ହେବାର ବାର ଘଣ୍ଟା ମଧ୍ୟରେ ବାଲୁଗାଁ ପୋଲିସ ଅନ୍ୟ ୩ ଜଣ ଲୁଟେରାଙ୍କୁ ଧରିବା ସହ ସେମାନଙ୍କ ଠାରୁ ଗୋଟିଏ ମୋବାଇଲ ଫୋନ, ଗୋଟିଏ ଡ୍ରାଭିଙ୍ଗ ଲାଇସେନ୍ସ, ନଗଦ ୫ ହଜାର ଟଙ୍କା ଏବଂ ଗୋଟିଏ ଅଟୋ ଜବତ କରିଛି। ପୋଲିସ ପକ୍ଷରୁ ୬ ଜଣ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ସ୍ଥଳେ ଅଟୋ ଚାଳକଙ୍କୁ ଧରିବା ପାଇଁ ପୋଲିସ ତନାଘନା ତଦନ୍ତ ଜାରି ରଖିଛି ବୋଲି ସୂଚନା ଦେଇଛନ୍ତି ଏସଡିପିଓ ଶ୍ରୀ ବାରିକ।