ଲାଲୁଙ୍କ ଜାମିନ ଆବେଦନ ବିରୋଧରେ ସୁପ୍ରିମ୍‌କୋର୍ଟରେ ସିବିଆଇ

Published: Apr 9, 2019, 3:17 pm IST

ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ଆବେଦନକୁ ବିରୋଧ କରିଛି ସିବିଆଇ। ସିବିଆଇ ପକ୍ଷରୁ ସୁ୍ପ୍ରିମ୍‌କୋର୍ଟରେ ଲାଲୁଙ୍କ ଜାମିନ ଆବେଦନକୁ ବିରୋଧ କରାଯାଇଛି। ଚାରା ଘୋଟାଲା ମାମଲାରେ ଜେଲରେ ରହିଥିବା ଲାଲୁ ଚଳିତ ଲୋକସଭା ନିର୍ବାଚନ ପୂର୍ବରୁ ରାଜନୈତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ନେଇ ଜାମିନ ଆବେଦନ କରିଛନ୍ତି। ଆରଜେଡିର ମୁଖ୍ୟ ଭାବରେ ସେ ନିର୍ବାଚନରେ ଉପସ୍ଥିତ ରହିବା ନିତାନ୍ତ ଆବଶ୍ୟକ ବୋଲି ସର୍ବୋଚ୍ଚ କୋର୍ଟକୁ ନିଜ ଆବେଦନରେ କହିଛନ୍ତି। ସିବିଆଇ ପ୍ରସାଦଙ୍କ ଜାମିନ ମାମଲାରେ ନିଜର ପକ୍ଷ ରଖି କହିଛି, ଯଦି ଲାଲୁ ଜାମିନରେ ବାହାରକୁ ଯାଆନ୍ତି ତେବେ ରାଜନୈତିକ ପ୍ରସଙ୍ଗରେ ଜଡିତ ହେବା ସହିତ ଜାମିନର ଅନୈତିକ ଫାଇଦା ଉଠାଇବାର ସମ୍ଭାବନା ରହିଛି। ସିବିଆଇ ପକ୍ଷରୁ କୁହାଯାଇଛି ଯେ, ଲାଲୁ ବିଗତ ୮ ମାସ ଧରି ଡାକ୍ତରଖାନାରେ ରହି ନିଜର ରାଜନୈତିକ କାର୍ଯ୍ୟକଳାପ ଜାରି ରଖିଛନ୍ତି। ସେହିପରି ସିବିଆଇ ପକ୍ଷରୁ ପ୍ରଶ୍ନ ଉଠାଯାଇଛି ଯେ, ଯଦି ଲାଲୁ ବିଗତ ୮ ମାସ ଧରି ସମ୍ପୂର୍ଣ୍ଣ ଅସୁସ୍ଥ ରହିଥିଲେ ତେବେ ହଠାତ ନିର୍ବାଚନ ପ୍ରଚାର ପାଇଁ କିପରି ସୁସ୍ଥ ହୋଇଗଲେ। ତେବେ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ବରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶେଷ ନିଷ୍ପତ୍ତି ଗ୍ରହଣ କରିବେ।

( ମୋବାଇଲରେ ଫଟାଫଟ  ଖବର ଜାଣିବା  ପାଇଁ ପ୍ଲେ ଷ୍ଟୋରରୁ ଡାଉନଲୋଡ କରନ୍ତୁ sankhipta, ଏହାପରେ ମୋବାଇଲ ସ୍କ୍ରିନର ତଳୁ ଉପରକୁ ଆଙ୍ଗୁଠିରେ ଘଷି  ଖବର ପରେ ଖବର ପଢି ଚାଲନ୍ତୁ। )

Related posts