ପ୍ରମିଳାଙ୍କୁ ହେଲିକାପ୍ଟରରେ ବସାଇ ପ୍ରଚାର କଲେ ନବୀନ, ମାଟିରୁ ଆକାଶରେ ଉଡିବାର ସୁଯୋଗ ପାଇଲେ ପ୍ରମିଳା

Published: Apr 13, 2019, 3:27 pm IST
pramila and naveen's together campaigning

ମୁଁ ଆକାଶରେ ହେଲିକାପ୍ଟର ଉଡିଥିବାର ଦେଖିଛି, ହେଲେ କେବେ ବସିବାର ସୁଯୋଗ ପାଇ ନ ଥିଲି। ଏପରିକି କେବେ ହେଲିକାପ୍ଟରରେ ବସିବି ସେ ସ୍ବପ୍ନ ମଧ୍ୟ ଦେଖି ନ ଥିଲି। ଏହାଥିଲା ଆସ୍କା ଲୋକସଭା ପାଇଁ ବିଜେଡି ପ୍ରାର୍ଥୀ ହୋଇଥିବା ମିଶନ ଶକ୍ତି ମହିଳା ପ୍ରମିଳା ବିଶୋଇଙ୍କ ଖୁସିର ବକ୍ତବ୍ୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଂଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରଚାର କରୁଥିବା ବେଳେ ନିଜ ହେଲିକାପ୍ଟରରେ ପ୍ରମିଳାଙ୍କୁ ସାଥୀରେ ନେଇଥିଲେ। କେହି ବି କେବେ ସ୍ବପ୍ନରେ ଭାବି ନ ଥିବ ଯେ, ବହୁ ତଳୁ ଆସିଥିବ ମହିଳା ହଠାତ୍ ଆକାଶରେ ଉଡିବ ଏବଂ ସାରା ରାଜ୍ୟ ପାଇଁ ପାଲଟିଯିବ ଏକ ଷ୍ଟାର। ଖୋଦ ମୁଖ୍ୟମନ୍ତ୍ରୀଙ୍କ ହେଲିକାପ୍ଟରରେ ବସି ଯିବାର ସୁଯୋଗ ସବୁ ନେତାଙ୍କ ଭାଗ୍ୟରେ ଆସି ନ ଥାଏ। ବର୍ତ୍ତମାନ ମଧ୍ୟ ଅନେକ ନେତା ଅଛନ୍ତି ଯେଉଁମାନେ କେବେ ବି ମୁଖ୍ୟମନ୍ତ୍ରୀଙ୍କ ହେଲିକାପ୍ଟରରେ ସାଙ୍ଗରେ ବସି ଯାଇ ନ ଥିବେ। ହେଲେ ପ୍ରମିଳାଙ୍କ ଭାଗ୍ୟ ସାଥ୍ ଦେଇଛି।

କହିବାକୁ ଗଲେ ବିଜେଡି ପ୍ରମିଳାଙ୍କୁ କେବଳ ପ୍ରାର୍ଥୀ କରି ନାହିଁ ବଂର ପ୍ରଚାର ମୈଦାନରେ ତାଙ୍କୁ ଷ୍ଟାର ପ୍ରଚାରକର ମାନ୍ୟତା ମଧ୍ୟ ଦେଇଛନ୍ତି ନବୀନ ପଟ୍ଟନାୟକ। ତାଙ୍କୁ ହେଲିକାପ୍ଟରରେ ନେଇ ପ୍ରଚାର କରିବା ସଂପର୍କରେ ଖୋଦ ମୁଖ୍ୟମନ୍ତ୍ରୀ ନିଜ ଟ୍ଵିଟରରେ ମଧ୍ୟ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନିଜ ନିଷ୍ଠାପର କାର୍ଯ୍ୟ ପାଇଁ ତୃଣମୂଳ ସ୍ତରର ନେତା ସାଜିଥିବା ପ୍ରମିଳା ବିଶୋଇଙ୍କ ସହିତ ଏକାଠି ଯାତ୍ରା କରି ଖୁସି। ସେ ମିଶନ ଶକ୍ତି ନାରୀଙ୍କ ପ୍ରତୀକ। ମୁଁ ମୋ ରାଜନୀତି ଜୀବନ ଆରମ୍ଭ କରିଥିବା ଆସ୍କାରୁ ତାଙ୍କୁ ଲୋକସଭାରେ ଦେଖିବା ନେଇ ମୁଁ ଉତ୍ସାହିତ। ଏହା ହେବ ଲକ୍ଷଲକ୍ଷ ସଶକ୍ତ ମହିଳାଙ୍କ ପାଇଁ ବାସ୍ତବ ସମ୍ମାନ।

ମୁଖ୍ୟମନ୍ତ୍ରୀ ନିଜେ ଖୁସି ପ୍ରକଟ କରି ଟ୍ୟୁଇଟ କରିବା ନିଶ୍ଚିତ ଭାବେ ଓଡିଶାର ଲକ୍ଷ ଲକ୍ଷ ମିଶନ ଶକ୍ତି ମହିଳାଙ୍କୁ ଉତ୍ସାହିତ କରିବ ଏଥିରେ ସନ୍ଦେହ ନାହିଁ। ମହିଳାଙ୍କୁ ସଶକ୍ତ କରିବା ଏବଂ ଲୋକସଭାରେ 33 ପ୍ରତିଶତ ସ୍ଥାନ ସଂରକ୍ଷଣ ଘୋଷଣା କରି ତାହାକୁ କାର୍ଯ୍ୟକାରୀ ମଧ୍ୟ କରିଛନ୍ତି ନବୀନ। ଆଉ ତାହାର ବଡ ଉଦାହରଣ ପାଲଟିଛନ୍ତି ପ୍ରମିଳା ବିଶୋଇ।

 

Related posts