ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ରେଳ ବିଭାଗ ଯୁବ ପରିଷଦର ସର୍ବଦଳୀୟ ସଭା

Published: Aug 31, 2021, 7:31 pm IST

ଭୁବନେଶ୍ୱର: ପବିତ୍ର ଜନ୍ମାଷ୍ଟମୀ ଅବସରରେ ରେଳ ବିହାର ମାର୍କେଟ କମ୍ପେ୍ଲକ୍ସଠାରେ ରେଳ ବିଭାଗ ଯୁବ ପରିଷଦ ପକ୍ଷରୁ ଏକ ସର୍ବଦଳୀୟ ସଭା ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ପ୍ରତ୍ୟୁଷ ଭଞ୍ଜଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସୁରେଶ କୁମାର ରାଉତରାୟ, ବିଜେଡ଼ି ମୁଖପାତ୍ର ସୁଲତା ଦେଓ, କଂଗ୍ରେସ ମୁଖପାତ୍ର ଅମିୟ ପାଣ୍ଡବ, ବିଜେପି ଓବିସି ସେଲ୍ ଅଧ୍ୟକ୍ଷ ସୁରଥ ବିଶ୍ୱାଳ, ସିପିଏମ୍ ନେତା ପ୍ରଦୀପ୍ତ ନାୟକ, କଂଗ୍ରେସର ଅନ୍ୟତମ ମୁଖପାତ୍ର ପ୍ରଶାନ୍ତ ଶତପଥୀ, ବିଜେପି ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ ଉପାଧ୍ୟକ୍ଷା ଅର୍ପିତା ଅପରାଜିତା ବଡ଼ଜେନା, ବିଜେପି ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ, ଚଳଚ୍ଚିତ୍ର ଅଭିନେତ୍ରୀ ଐଶ୍ୱର୍ଯ୍ୟା ବେହେରା, ଛାତ୍ର କଂଗ୍ରେସ ମୁଖପାତ୍ର ବିଶ୍ୱଭୂଷଣ ମହାପାତ୍ର, ସମାଜସେବୀ ନିବେଦିତା ଲେଙ୍କା ଏବଂ ବିଦାୟୀ କର୍ପୋରେଟର ସୌଭାଗ୍ୟ ବାରିକ ପ୍ରମୁଖ ଯୋଗ ଦେଇ ଏଭଳି ଉଦ୍ୟମକୁ ପ୍ରଶଂସା କରିବା ସହ ଦଳମତ ଉର୍ଦ୍ଧ୍ୱରେ ରହି ଐକ୍ୟବଦ୍ଧ ଭାବେ କାର୍ଯ୍ୟ କଲେ ଦେଶ, ରାଜ୍ୟ ଓ ଅଞ୍ଚଳର ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ।

ବିଭିନ୍ନ ଦଳର ନେତାମାନେ ଏକାଠି ହୋଇପାରିବା ଯେମିତି ସମାଜ ପାଇଁ ଶୁଭ ଲକ୍ଷଣ, ଠିକ୍ ସେହିପରି ବିଭିନ୍ନ ଧର୍ମ ଓ ବିଚାର ମଧ୍ୟ ଏକାଠି ରହିବା ଭାରତର ଆତ୍ମା ଓ ଐତିହ୍ୟ ବୋଲି ମତ ପ୍ରକାଶ କରିଥିଲେ।

ଏହି ଅବସରରେ ସଫେଇ କର୍ମଚାରୀ, ବିଦ୍ୟୁତ୍ ବିଭାଗର କର୍ମଚାରୀ, ଅଟୋ ମହାସଂଘର କର୍ମକର୍ତ୍ତା, ବ୍ୟବସାୟୀ ସଂଘର କର୍ମକର୍ତ୍ତା, ସୁରକ୍ଷା କର୍ମୀ ଏବଂ ଶ୍ରମଜୀବୀ ମଣିଷମାନଙ୍କୁ ରାଷ୍ଟ୍ର ଗଠନରେ ସେମାନଙ୍କର ଭୂମିକା ସକାଶେ ସମ୍ବର୍ଦ୍ଧିତ କରାଯାଇଥିଲା। ଅନୁଷ୍ଠାନର ଉପଦେଷ୍ଟା ଅନୁଜ ଜେନା, ସମ୍ପାଦକ ସରୋଜ ନାୟକ ଏବଂ ଅନୂସୟା ବାରିକ ପ୍ରମୁଖ ସଭା ପରିଚାଳନାରେ ସହଯୋଗ କରିଥିଲେ।

Related posts