୮୦୦ ବର୍ଷ ପରୁଣା ନୋଟ୍ରା-ଡାମ୍‌ କ୍ୟାଥେଡ୍ରଲରେ ଅଗ୍ନିକାଣ୍ଡ

Published: Apr 16, 2019, 11:26 am IST
fire captured in church

ଫ୍ରାନ୍ସର ପ୍ୟାରିସ୍‌ରେ ଅବସ୍ଥିତ ପ୍ରସିଦ୍ଧ ଚର୍ଚ୍ଚ ନୋଟ୍ରା-ଡାମ୍‌ କ୍ୟାଥେଡ୍ରଲରେ ସୋମବାର ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ୮୦୦ ବର୍ଷ ପୁରୁଣା ଏହି ବିଶ୍ଵ ଐତିହ୍ୟ ଜଳିପୋଡ଼ି ପାଉଁଶ ହୋଇଯାଇଛି। ଏହି ଚର୍ଚ୍ଚଟି ଖ୍ରୀଷ୍ଟିଆନମାନଙ୍କ ବିଶ୍ଵାସର ଗୁରୁତ୍ଵପୂର୍ଣ୍ଣ ପ୍ରତୀକ ଥିଲା। ଘଟଣା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସମେତ ବିଶ୍ଵର ଅନେକ ରାଷ୍ଟ୍ର ଗଭୀର ଦୁଃଖପ୍ରକାଶ କରିଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଏକ ଆବେଗପୂର୍ଣ୍ଣ ବାର୍ତ୍ତାରେ କହିଛନ୍ତି, ଫ୍ରାନ୍ସ ଅସ୍ତିତ୍ବର ଏକ ଅଂଶ ଜଳିଯାଉଥିବା ଦେଖି ବହୁତ କଷ୍ଟ ହେଉଛି। ଏହି ଚର୍ଚ୍ଚରେ ସୋମବାର ରାତିରେ ନିଆଁ ଲାଗିଯାଇଥିଲା। କ୍ଷଣକ ମଧ୍ୟରେ ନିଆଁ ସମ୍ପୂର୍ଣ୍ଣ ଚର୍ଚ୍ଚକୁ ବ୍ୟାପିଯାଇଥିଲା। ନିଆଁର ଉତ୍ତାପରେ ଚର୍ଚ୍ଚର ଛାତ ଭାଙ୍ଗିଯାଇଥିଲା। କିଛି ଘଣ୍ଟା ମଧ୍ୟରେ ଗିରିଜାଘରର ଶିଖର ତଳକୁ ଖସିପଡ଼ିଥିଲା। ଚର୍ଚ୍ଚ​‌ ଜଳୁଥିବା ଦେଖି ଲୋକେ ଅସହାୟ ହୋଇପଡ଼ିଥିଲେ। ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବା ସହ ଦୁଃଖପ୍ରକାଶ କରିଥିଲେ। ଅଗ୍ନିକାଣ୍ଡର କାରଣ  ଅସ୍ପଷ୍ଟ ଥିବା ବେଳେ ଚର୍ଚ୍ଚରେ ମରାମତି କାମ ଚାଲିଥିବା ନେଇ ସୂଚନା ମିଳିଛି। ମରାମତି ସମୟରେ ଦୁର୍ଘଟଣାବଶତଃ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଅଗ୍ନିକାଣ୍ଡରେ ମୃତାହତଙ୍କ ସମ୍ପର୍କରେ ସୂଚନା ମିଳିନାହିଁ। ପ୍ୟାରିସ୍‌ର ମେୟର କହିଛନ୍ତି ଯେ, ଚର୍ଚ୍ଚରେ ଅନେକ ସୁନ୍ଦର କଳାକୃତି ରହିଛି। ଏହି ଚର୍ଚ୍ଚ ଦୁନିଆର ସବୁଠାରୁ ପୁରାତନ ଚର୍ଚ୍ଚ ମଧ୍ୟରୁ ଗୋଟିଏ। ପ୍ରତିବର୍ଷ ଲକ୍ଷାଧିକ ଲୋକ ଏଠାକୁ ବୁଲିବାକୁ ଆସିନ୍ତି। ଚର୍ଚ୍ଚକୁ ୟୁନେସ୍କୋ ପକ୍ଷରୁ ବିଶ୍ଵ ଐତିହ୍ୟ ଘୋଷଣା କରାଯାଇଥିଲା।

Related posts