ନିକଟ ଅତୀତରେ ଦେଶ ଛାଡିଛନ୍ତି ୩୬ ବ୍ୟବସାୟୀ

Published: Apr 16, 2019, 1:33 pm IST

ନିକଟ ଅତୀତରେ ଅନ୍ୟୁନ ୩୬ ବ୍ୟବସାୟୀ ଦେଶ ଛାଡି ପଳାୟନ କରିଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସ୍ବତନ୍ତ୍ର ଜଜ୍ ଅରବିନ୍ଦ କୁମାରଙ୍କ ସାମ୍ନାରେ ତଥ୍ୟ ରଖି ଇଡି କହିଛି ଯେ, ନୀରବ ମୋଦି ଏବଂ ବିଜୟ ମାଲ୍ୟାଙ୍କୁ ମିଶାଇ ସମୁଦାୟ ୩୬ ବ୍ୟବସାୟୀ ଦେଶ ଛାଡି ପଳାୟନ କରିଛନ୍ତି। ଏହି ୩୬ ଜଣଙ୍କ ମଧ୍ୟରୁ ଅନେକଙ୍କ ନାମରେ ଅପରାଧିକ ମାମଲା ରହିଥିବା ଇଡି ପକ୍ଷରୁ କୁହାଯାଇଛି। ଅଗଷ୍ଟା ଓ୍ବେଷ୍ଟଲ୍ୟାଣ୍ଡ ମାମଲାର ବିଚାର ସମୟରେ ସୁଶେନ୍‌ ଗୁପ୍ତାଙ୍କ ଜାମିନ ଆବେଦନ ଉପରେ ବିଚାର କରିବା ସମୟରେ କୋର୍ଟଙ୍କୁ ଏହି ସୂଚନା ଦେଇଥିଲେ ଇଡି। ସୁଶେନ୍‌ ନିଜକୁ ସାମାଜିକ ଭାବରେ ପ୍ରତିଷ୍ଠିତ ବୋଲି ଦାବି କରି ଜାମିନ ଆବେଦନ କରିଥିବା ବେଳେ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଡିପି ସିଂ ଏବଂ ଏନ୍‌ କେ ମାଟ୍ଟା ଏହାକୁ ଦୃଢ ବିରୋଧ କରିଥିଲେ। ଶ୍ରୀ ସିଂ ଏବଂ ମାଟ୍ଟା ମାଲ୍ୟା, ଲଳିତ ମୋଦି, ନୀରବ ମୋଦି, ମେହୁଲ୍‌ ଚୋକ୍‌ସି ଏବଂ ସାଣ୍ଡେର୍ସା ବ୍ରଦର୍ସ ମଧ୍ୟ ସାମାଜିକ ଭାବରେ ପ୍ରତିଷ୍ଠିତ ଥିଲେ ମାତ୍ର ଦେଶ ଛାଡକି ପଳାୟନ କରିଥିଲେ। ଏହା ସହିତ ସୁଶେନ୍‌ ଜାମିନ୍‌ରେ ବାହାରକୁ ଗଲେ ସାକ୍ଷୀ ମାନଙ୍କୁ ପ୍ରଭାବିତ କରିବାର ସମ୍ଭାବନା ରହିଛି ବୋଲି ଇଡି ନିଜ ଆବେଦନରେ ଦର୍ଶାଇଥିଲା। କୋର୍ଟ ମାମଲାର ଆସନ୍ତା ଶୁଣାଣି ଏପ୍ରିଲ୍‌ ୨୦ ତାରିଖରେ କରିବେ ବୋଲି କହିଛନ୍ତି।

Related posts