ଅକ୍ଷୟ ଓ ସଲମାନ୍‌ଙ୍କୁ ପଛରେ ପକାଇଲେ ଅମିତାଭ : ୨୦୧୮-୧୯ ବର୍ଷ ପାଇଁ ସର୍ବାଧିକ ଆୟକର ଦେଲେ ବିଗ୍‌ବି

Published: Apr 19, 2019, 5:10 pm IST

ବିଗ୍‌ ବି ଅମିତାଭ ବଚ୍ଚନ ୨୦୧୮-୧୯ ଆର୍ଥିକ ବର୍ଷରେ ସିନେ ତାରକାଙ୍କ ମଧ୍ୟରେ ସର୍ବାଧିକ ଆୟକର ଦେଇ ଚର୍ଚ୍ଚାରେ ରହିଛନ୍ତି ।  ଚଳିତ ଆର୍ଥିକ ବର୍ଷରେ ଅମିତାଭ ବଚ୍ଚନ ୭୦ କୋଟି ଟଙ୍କା ଆୟକର ଦେଇଛନ୍ତି। ଏହା ପୂର୍ବରୁ ସଲମାନ ଖାନ୍‌ ଓ ଅକ୍ଷୟ କୁମାର ସିନେ ଜଗତରେ ସର୍ବାଧିକ ଆୟକର ଦେଉଥିବା ଅଭିନେତା ରହିଥିଲେ। ୨୦୧୭-୧୮ ଆର୍ଥିକ ବର୍ଷରେ ସଲମାନ ୪୪.୫ କୋଟି ଟଙ୍କା ଆଗୁଆ ଆୟକର ଜମା କରିଥିଲେ। ସେହିପରି ୨୦୧୬-୧୭ ଆର୍ଥିକ ବର୍ଷରେ ଅଭିନେତା ଅକ୍ଷୟ କୁମାର ସର୍ବାଧିକ ୨୯.୫ କୋଟି ଟଙ୍କା ଆୟକର ଦେଇଥିବା ସୂଚନା ରହିଛି। ଅମିତାଭ ବିହାର ମୁଜାଫରନଗରର ୨୦୮୪ ଜଣ କୃଷକଙ୍କ କୃଷି ଋଣ ମଧ୍ୟ ଶୁଝିଛନ୍ତି।  ଏହା ପୂର୍ବରୁ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ପ୍ରତି ଯବାନଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ ଟଙ୍କା ସହାୟତା କରିଥିଲେ। ନିକଟରେ ତାଙ୍କ ଅଭିନୀତ ଫିଲ୍ମ ‘ବଦ୍‌ଲା’ ବକ୍ସ ଅଫିସ୍‌ରେ ବେଶ୍‌ ଭଲ ପ୍ରଦର୍ଶନ କରିଛି । ସୁଜୟ ଘୋଷଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ତାପସୀ ପନ୍ନୁ ଅଭିନୟ କରିଥିଲେ । ଥା ତାମିଲ୍‌ଭନନଙ୍କ ନିର୍ଦ୍ଦେଶିତ ଉର୍ୟାନ୍ଥା ମଣିନ୍ଥାନ୍‌ ଫିଲ୍ମ ଜରିଆରେ ଅମିତାଭ ତାମିଲ୍‌ ଫିଲ୍ମରେ ପାଦ ରଖୁଛନ୍ତି । ଏହି ଫିଲ୍ମରେ ତାଙ୍କ ସହ ରମୈୟା କ୍ରିଷ୍ଣାନ୍‌ଙ୍କୁ ଦେଖିବାକୁ ମିଳିବେ । ପୂର୍ବରୁ ଦୁହେଁ ’ବଡେ ମିୟାଁ ଛୋଟେ ମିୟାଁରେ ନଜର ଆସିସାରିଛନ୍ତି । ତାମିଲ୍‌ ଫିଲ୍ମରେ ଅଭିନୟକୁ ନେଇ ଅମିତାଭ ବେଶ୍‌ ଉତ୍ସାହିତ ରହିଛନ୍ତି । ନିକଟରେ ଏହି ଫିଲ୍ମର ତାଙ୍କ ଲୁକ୍‌କୁ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଥିଲେ । ଏହି ଫିଲ୍ମ ବ୍ୟତୀତ ଅମିତାଭ ଆୟନ୍‌ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ତଥା ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ସହ ‘ବ୍ରହ୍ମାସ୍ତ୍ର’ ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଆଗାମୀ ଖ୍ରୀଷ୍ଟମାସରେ ‘ବ୍ରହ୍ମାସ୍ତ୍ର’ ପରଦାକୁ ଆସିବ ବୋଲି ସୂଚନା ମିଳିଛି।

Related posts