ସମ୍ କୋଭିଡ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଘରକୁ ଫେରିଲେ ୯୬ ବର୍ଷୀୟ ବୟୋଜ୍ୟେଷ୍ଠ

Published: Dec 28, 2021, 7:06 pm IST

ଭୁବନେଶ୍ୱର: କୋଭିଡର ନୂଆ ଭାରିଆଂଟ ଓମିକ୍ରନ୍ ସଂକ୍ରମଣର ଭୟ ଏବଂ ତୃତୀୟ ଲହରର ଆଶଙ୍କା ମଧ୍ୟରେ ସମ୍ କୋଭିଡ୍ ହସ୍ପିଟାଲ୍‌ରୁ ଆସିଛି ଆସ୍ୱସ୍ତିକର ଖବର। କୋଭିଡ ସଂକ୍ରମିତ ୯୬ ବର୍ଷୀୟ ଜଣେ ବୃଦ୍ଧ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଭୁବନେଶ୍ୱର ଉପକଣ୍ଠ ଡୁମ୍‌ଡୁମା ଅଂଚଳର ବୟୋଜ୍ୟେଷ୍ଠ ବ୍ୟକ୍ତି ଗଦାଧର ଦାସ କରୋନା ସଂକ୍ରମିତ ହେବା ପରେ ସମ୍ କୋଭିଡ୍ ହସ୍ପିଟାଲ୍‌ରେ ଗତ ଡିସେମ୍ବର ୨୦ ତାରିଖରେ ଭର୍ତି ହୋଇଥିଲେ। ହସ୍ପିଟାଲ୍‌ରେ ଭର୍ତ୍ତି ହେବା ସମୟରେ ତାଙ୍କୁ ଜ୍ୱର, ଛାତିରେ କଫ ଜମିବା ସହ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ ହେଉଥିଲା। ତାଙ୍କୁ ସୁସ୍ଥ କରିବା ନିମନ୍ତେ ଆଇସିୟୁରେ ରଖାଯାଇ ଅକ୍ସିଜେନ୍ ମଧ୍ୟ ଦିଆଯାଇଥିଲା।

ଦୀର୍ଘ ୯ ଦିନ ଧରି ସମ୍ କୋଭିଡ୍ ହସ୍ପିଟାଲ୍‌ର ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟକର୍ମୀ ମାନେ ତାଙ୍କର ଉତ୍ତମ ଚିକିତ୍ସା, ସେବା, ଯତ୍ନ କରିବା ଫଳରେ ସେ ସୁସ୍ଥ ହୋଇ ମଙ୍ଗଳବାର ଘରକୁ ଫେରିଛନ୍ତି।

ତାଙ୍କ ପୁଅ ଧର୍ମାନନ୍ଦ ଦାସ ମଧ୍ୟ କୋଭିଡ୍ ସଂକ୍ରମିତ ହୋଇ ସମ୍ କୋଭିଡ୍‌ରେ ଭର୍ତ୍ତି ହୋଇଥିଲେ। ବାପା ପୁଅ ଉଭୟ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି। ବୃଦ୍ଧ ବାପା କୋଭିଡ୍‌ରୁ ସୁସ୍ଥ ହୋଇ ଘରକୁ ଫେରିବା ପରେ ସମ୍ କୋଭିଡ୍ ହସ୍ପିଟାଲ୍‌କୁ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ପୁଅ ଧର୍ମାନନ୍ଦ।

କେବଳ ଗଦାଧର ନୁହଁନ୍ତି କରୋନାର ପ୍ରଥମ ଏବଂ ଦ୍ୱିତୀୟ ଲହରୀରେ ଅନେକ ବୟୋଜ୍ୟେଷ୍ଠ ଓ ବୟୋଜ୍ୟେଷ୍ଠା କୋଭିଡ୍ ସଂକ୍ରମିତ ହୋଇ ସମ୍ କୋଭିଡ୍‌ରେ ଭର୍ତ୍ତି ହୋଇଥିବା ବେଳେ ସମ୍ କୋଭିଡ୍ ଯୋଦ୍ଧାଙ୍କ ଚିକିତ୍ସା, ସେବା ଶୁଶୃଷା ଓ ଆପ୍ରାଣ ଉଦ୍ୟମ ଯୋଗୁଁ ବହୁ ସଂଖ୍ୟାରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

Related posts