ବେଙ୍ଗାଲୁରୁ: କର୍ଣ୍ଣାଟକ ହାଇକୋର୍ଟର ବିଚାରପତିଙ୍କୁ ମୃତ୍ୟୁ ଧମକ ଦିଆଯାଇଛି। ମାର୍ଚ୍ଚ ୧୫ ତାରିଖରେ ହିଜାବ ଉପରେ ରାୟ ପ୍ରକାଶ କରିଥିବା ବିଚାରପତିଙ୍କୁ ଏହି ଧମକ ଦିଆଯାଇଛି। ଖବର ମୁତାବକ ସୋସିଆଲ ମିଡିଆରେ ଏକ ଧମକପୂର୍ଣ୍ଣ ଭିଡିଓ ସାମ୍ନାକୁ ଆସିଛି। ହ୍ଵାଟସ୍ ଆପ୍ ରେ ଏକ ଭିଡିଓ ମେସେଜ୍ ପାଇଥିବା ଆଡଭୋକେଟ୍ ଉମାପାତୀ ଅଭିଯୋଗ କରିଛନ୍ତି। ଯେଉଁଥିରେ ପ୍ରଧାନ ବିଚାରପତି ରିତୁ ରାଜ ଅବସ୍ତିଙ୍କୁ ହତ୍ୟା ଧମକ ଦିଆଯାଇଛି।
କର୍ଣ୍ଣାଟକର ଅଧିକାଂଶ ଅଞ୍ଚଳରେ ହିଜାବ ବିବାଦର କେନ୍ଦ୍ରବିନ୍ଦୁ ପାଲଟିଛି। ଏହା ପରେ କୋର୍ଟ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ, ହିଜାବ ଏକ ଜରୁରୀ ଧାର୍ମିକ ପ୍ରଥା ନୁହେଁ। ଓକିଲ ଗଣମାଧ୍ୟମକୁ କହିଛନ୍ତି ଯେ, “ଭିଡିଓ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି ଏବଂ ତେଣୁ ମୁଁ ତୁରନ୍ତ (ହାଇକୋର୍ଟ) ରେଜିଷ୍ଟ୍ରାରଙ୍କ ସହ ଯୋଗାଯୋଗ କଲି। ତାମିଲ ଭାଷାରେ ଏହି ଧମକପୂର୍ଣ୍ଣ ଭିଡିଓ ବାର୍ତ୍ତା ମିଳିଲା।
ଓକିଲ ଅଭିଯୋଗ କରିଛନ୍ତି ଯେ, ଏହି ଭିଡିଓ “ତାମିଲନାଡୁ (ବୋଧହୁଏ ମଦୁରାଇ ଜିଲ୍ଲା) ରୁ ପଠାଯାଇଛି। ଏହି ଧମକରେ ଝାଡଖଣ୍ଡର ଜଣେ ବିଚାରପତିଙ୍କ ହତ୍ୟା ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି। ପ୍ରକାଶ ଥାଉ କି ହିଜାବ ଉପରେ କୋର୍ଟଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି।



