ଚିଲିକା: ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ଗାଡ଼ିକୁ ପିଟିଲା ଟ୍ରଲର, ଅଳ୍ପକେ ବର୍ତ୍ତିଲେ ପରିବାର

Published: Jun 14, 2022, 9:52 am IST

ସୀତାରାମ ଅଗ୍ରୱାଲ

ଚିଲିକା: ଗତକାଲି ସଂନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନାଚୁଣୀ ୧୬ ନମ୍ବର ଜାତୀୟ ରାଜପଥରେ ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିବାର ଖବର ହସ୍ତଗତ ହୋଇଛି। ତେବେ ସୌଭାଗ୍ୟବଶତଃ ଗାଡ଼ିରେ ଉପସ୍ଥିତ ଥିବା ବ୍ୟକ୍ତିମାନେ ସୁରକ୍ଷିତ ଥିବା ବେଳେ ଗାଡ଼ିଟି ଭାଙ୍ଗି ରୁଜି ଯାଇଛି।

ଖବର ମୁତାବକ ପୂର୍ବତନ ବିଧାୟକଙ୍କ ଗାଡିଟି ସଂନ୍ଧ୍ୟାରେ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ଯେଉଁଥିରେ ତାଙ୍କ ପୁତ୍ର, ଝିଅ ଏବଂ ନାତୁଣୀ ଯାତ୍ରା କରୁଥିଲେ। ତେବେ ହରିକୁଣ୍ଡବରଡ଼ି ଢ଼ାବା ନିକଟରେ ଗାଡିଟି ଛିଡା ହୋଇଥିବା ବେଳେ ହଠାତ ପଛପଟୁ ସମାନ ଦିଗରେ ଯାଉଥିବା ଏକ ଟ୍ରଲର ଟି ଧକ୍କା ଦେଇଥିଲା।

ତେବେ ସୌଭାଗ୍ୟବଶତଃ ଗାଡ଼ି ଭିତରେ ଥିବା ପୂର୍ବତନ ବିଧାୟକ ଶ୍ରୀ ସାହୁଙ୍କ ପରିବାରବର୍ଗଙ୍କ କୌଣସି କ୍ଷତି ହୋଇନଥିବା ବେଳେ ଗାଡ଼ିଟି ଭାଙ୍ଗି ରୁଜି ଯାଇଛି। ଖବର ପାଇ ନାଚୁଣୀ ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗାଡିକୁ ଜବତ କରିବା ସହ ଟ୍ରଲର ଚାଳକଙ୍କୁ ଅଟକ ରଖିଛନ୍ତି।

ତେବେ ଏ ନେଇ ପୂର୍ବତନ ବିଧାୟକଙ୍କ ପ୍ରତିକ୍ରିୟା ନିଆଯାଇଥିବା ବେଳେ ତାଙ୍କ ପରିବାର ବର୍ଗ ସୁରକ୍ଷିତ ଥିବାରୁ ସେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

Related posts