ବାଣପୁରରେ ବିକ୍ରି ହେଉଛି ବେନାମୀ କମ୍ପାନୀର ସୋଡ଼ା: ବଢୁଛି ସ୍ୱାସ୍ଥ୍ୟଗତ ସମସ୍ୟା, ଖାଦ୍ୟ ସୁରକ୍ଷା ବିଭାଗ ନିଷ୍କ୍ରିୟ

Published: Sep 26, 2023, 6:32 pm IST

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ବିଭିନ୍ନ ବେନାମୀ କମ୍ପାନୀର ସୋଡ଼ା ବିକ୍ରି ହେଉଥିବା ଜାଣିବାକୁ ମିଳିଛି। ଯାହାକୁ ପିଇବା ଦ୍ୱାରା ଜନସାଧାରଣମାନଙ୍କ ସ୍ୱାସ୍ଥ୍ୟରେ ଅବନତି ଘଟୁଥିବାର ଅଭିଯୋଗ ହେଉଛି।

ସୂଚନା ମୁତାବକ ଗତ କିଛି ମାସ ହେଲା ବାଣପୁର ସହରାଞ୍ଚଳରେ ବିଭିନ୍ନ ବେନାମୀ କମ୍ପାନୀର ସୋଡ଼ା ବୋତଲ ପ୍ରତି ପାନ ଦୋକାନରେ ଦେଖିବାକୁ ମିଳୁଛି। ତେବେ ଉକ୍ତ ସୋଡ଼ା ପିଇବା ଦ୍ୱାରା ବହୁ ଜନସାଧାରଣ ବିଭିନ୍ନ ରୋଗର ବଶବର୍ତ୍ତୀ ହେଉଥିବାର ଅଭିଯୋଗ ହେଉଛି। ଉକ୍ତ ସୋଡ଼ା ବୋତଲ କେଉଁ କମ୍ପାନୀ ଯୋଗାଉଛି, କିଏ ଆଣୁଛି ଏବଂ କିପରି ଦୋକାନଗୁଡିକରେ ପହଞ୍ଚୁଛି, ତାହା ପଚାରିଲେ ଦୋକାନୀ ମାନେ କହିବାକୁ କୁଣ୍ଠାବୋଧ କରୁଛନ୍ତି।

ତେବେ ଖାଦ୍ୟ ଓ ସୁରକ୍ଷା ବିଭାଗର ନାକ ତଳେ ଏହା ଜାରି ରହିଥିବା ବେଳେ ଉକ୍ତ ବିଭାଗ ଜାଣିଶୁଣି ଚୁପ ରହିଥିବା ସାଧାରଣ ନାଗରିକମାନେ ଅଭିଯୋଗ କରିଛନ୍ତି।  ଉକ୍ତ ସୋଡ଼ା ଗୁଡିକ ପ୍ରକୃତ ପାନୀୟ ଯୋଗ୍ୟ ନା ନାହିଁ, ତାହା ତଦନ୍ତ ସାପେକ୍ଷ ହୋଇଥିବା ବେଳେ ଉକ୍ତ ସୋଡ଼ା ନିର୍ମାଣ କରୁଥିବା ସଂସ୍ଥା ଏବଂ ଉକ୍ତ ସୋଡ଼ାକୁ ବାଣପୁରରେ ଯୋଗାଉଥିବା ବ୍ୟକ୍ତିମାନଙ୍କ ଉପରେ ପ୍ରଶାସନ ଏବଂ ଖାଦ୍ୟ ଓ ସୁରକ୍ଷା ବିଭାଗର ନଜର ନପଡିବା ଦୁର୍ଭାଗ୍ୟର ବିଷୟ।

ବାଣପୁରରେ ପ୍ରତିଦିନ ଏହି ବେନାମୀ କମ୍ପାନୀ ସୋଡ଼ା ବୋତଲ ଗୁଡିକ ଶହ ଶହ ସଂଖ୍ୟାରେ ବିକ୍ରି ହେଉଥିବା ବେଳେ ଏହା ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଉପରେ କି ପ୍ରଭାବ ପକାଉଛି ତାହା ତଦନ୍ତ ସାପେକ୍ଷ। ଏହାକୁ ବିକ୍ରି କରି ଦୋକାନୀ ଓ ଡିଲର ମାନେ ବେଶ ଲାଭବାନ ହେଉଥିବା ବେଳେ ସାଧାରଣ ନାଗରିକଙ୍କ ସ୍ୱାସ୍ଥ୍ୟ ପ୍ରତି ପ୍ରଶାସନର ନିଘା ନାହିଁ।

ତେଣୁ ତୁରନ୍ତ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଏବଂ ଖାଦ୍ୟ ଓ ସୁରକ୍ଷା ବିଭାଗ ଏହା ଉପରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

Related posts