ନରସିଂହପୁର କ୍ଲଷ୍ଟରରେ ଯୋଗ ଦିବସ ପାଳିତ

Published: Jun 21, 2024, 8:48 pm IST

ରଣପୁର: ଆଜି ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ନୟାଗଡ ଜିଲ୍ଲା ରଣପୁର ବ୍ଲକ ନରସିଂହପୁର କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟଗୁଡିକରେ ସି.ଆର.ସି.ସି. ସୁଶୀଲ କୁମାର ରଣାଙ୍କ ତତ୍ୱାବଧାନରେ ଏବଂ ପ୍ରଧାନ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ସହଯୋଗରେ ଯୋଗ ଦିବସ ପାଳିତ ହୋଇ ଯାଇଛି। ନରସିଂହପୁର ମଧ୍ୟ ଇଁରାଜୀ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଅଶୋକ କୁମାର ଦାଶଙ୍କ ତତ୍ୱାବଧାନରେ ଶିକ୍ଷକ ଶରତ କୁମାର ନାୟକ ଏବଂ ଶିକ୍ଷୟତ୍ରୀ କୁନି ମଙ୍ଗରାଜ ବିଦ୍ୟାଳୟର ପିଲାମାନଙ୍କୁ ବିଭିନ୍ନ ଯୋଗ ଅଭ୍ୟାସ କରାଇବା ସହିତ ଯୋଗର ଆବଶ୍ୟକତା ଓ ଗୁରୁତ୍ୱ ସମ୍ବନ୍ଧରେ ବୁଝାଇଥିଲେ। ଏହି ଯୋଗ ଶିବିରରେ ସି.ଆର.ସି.ସି. ସୁଶୀଲ କୁମାର ରଣା ଉପସ୍ଥିତ ରହି ପର୍ଯ୍ୟବେକ୍ଷଣ କରିଥିଲେ ଏବଂ ଯୋଗ କରିବା ସ୍ୱାସ୍ଥ୍ୟ ପାଇଁ ଭଲ ଓ ଏହାର ଉପକାରିତା ସମ୍ବନ୍ଧରେ ପିଲାମାନଙ୍କୁ ବୁଝାଇଥିଲେ।

ସେହିପରି ନରସିଂହପୁର ଉଚ୍ଚ ବିଦ୍ୟାଳୟ, ହଂସରା ପ୍ରାଥମିକ ବିଦ୍ୟାଳୟ, ହଂସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସାମନ୍ତରାପୁର ପ୍ରାଥମିକ ବିଦ୍ୟାଳୟ, ନିହଲ୍ଲାପ୍ରସାଦ ପ୍ରାଥମିକ ବିଦ୍ୟାଳୟ, ନାଟିମି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବ୍ରଜବଳଭପୁର ପ୍ରାଥମିକ ବିଦ୍ୟାଳୟ, ପାମ୍ପଡା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟ ଯୋଗ ଦିବସ ପାଳିତ ହୋଇଥିଲା।

Related posts