ବାଣପୁର ବ୍ଲକର ଅଧାରୁ ପାଠ ଛାଡ଼ିଥିବା କିଶୋରୀ ବାଳିକାମାନଙ୍କର ନିଯୁକ୍ତି ପାଇଁ କାଉନସେଲିଂ କର୍ମଶାଳା

Published: Aug 13, 2024, 7:37 am IST

ବାଣପୁର (ସୀତାରାମ ଅଗ୍ରୱାଲ): ବାଣପୁର ବ୍ଲକର ଅଧାରୁ ପାଠ ଛାଡ଼ିଥିବା କିଶୋରୀ ବାଳିକା ମାନଙ୍କର ନିଯୁକ୍ତି ପାଇଁ ଏକ କାଉନସେଲିଂ କର୍ମଶାଳା ଶିଶୁ ମଙ୍ଗଳ ଅଧିକାରିଣୀ ନର୍ମଦା ବେହେରାଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଅଙ୍ଗନବାଡି କର୍ମୀଙ୍କ ଦ୍ୱାରା ମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା। ସାହି ଏକ୍ସପୋର୍ଟସ ପ୍ରାଇଭେଟ ଲିମିଟେଡ଼, ଭାରତ ସରକାର ଗ୍ରାମୀଣ ମନ୍ତ୍ରଣାଳୟଙ୍କ ତରଫରୁ ଅଜିତ କୁମାର ପରିଡା ଏବଂ ଓଡିଶା ସରକାରଙ୍କ ଦକ୍ଷତା ବିକାଶ ବିଭାଗ ତରଫରୁ ଶିଶିର କୁମାର ବେହେରା, କାଉନସେଲର ଭାବେ ଉପସ୍ଥିତ ରହି ବାଳିକାମାନଙ୍କୁ ନିଯୁକ୍ତି ସମ୍ପର୍କେ ଅବଗତ କରିଥିଲେ। ବାଣପୁର ସ୍ୱାସ୍ଥ୍ୟକେନ୍ଦ୍ରର କାଉନସେଲର ଅଶୋକ କୁମାର ବେହେରା ଯୋଗଦେଇ କମ ବୟସରେ ବିବାହ କରିବା ଦ୍ୱାରା କ୍ଷତି ସମ୍ପର୍କରେ ବାଳିକା ମାନଙ୍କୁ ସଚେତନ କରିଥିଲେ।

ଶିଶୁ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ବେହେରା ଶିକ୍ଷାଦ୍ୱାରା କିପରି ଜଣେ ମହିଳା ଆତ୍ମନିର୍ଭର ହୋଇ ସମାଜରେ ପ୍ରତିଷ୍ଠିତ ହୋଇପାରିବ ସେ ବିଷୟରେ ବାଳିକା ମାନଙ୍କୁ ବୁଝାଇଥିଲେ।  ପ୍ରକାଶ ଥାଉକି ବାଣପୁର ବ୍ଲକରୁ ସମୁଦାୟ ୫୫୦ ଜଣ ବାଳିକା ଅଧାରୁ ପାଠ ଛାଡ଼ିଥିବା ବେଳେ ତୁମୁରାପୁଟ, ଗାଲୁଆ, ଭବାନୀପୁର, କୁମାରାଙ୍ଗ ପଞ୍ଚାୟତ ଏବଂ ବାଣପୁର ଏନଏସିର ଅଧାରୁ ପାଠ ଛାଡ଼ିଥିବା ୮୦ଜଣ ବାଳିକା କାଉନସେଲିଙ୍ଗରେ ଭାଗ ନେଇଥିଲେ।

ସେଥିମଧ୍ୟରୁ ୭୧ଜଣ ସିଲେଇ ମେସିନ ଅପରେଟର, ସାମ୍ପଲିଙ୍ଗ ଟେଲର, ସ୍ମାର୍ଟଫୋନ ଆସେମ୍ବଲୀ ଆସୋସିଏସନଭଳି ବିଭିନ୍ନ ଟ୍ରେନିଂ ପାଇଁ ସ୍ୱୀକୃତି ପ୍ରଦାନ କରିଥିବା ଶ୍ରୀମତୀ ବେହେରା ପ୍ରକାଶ କରିଛନ୍ତି।

ତେବେ ଟ୍ରେନିଂପରେ ଦକ୍ଷତା ଅନୁଯାଇ ବାଳିକା ମାନଙ୍କୁ ନିଯୁକ୍ତି ଦିଆଯିବ ବୋଲି ଆସିଥିବା ବିଭିନ୍ନ ସଂସ୍ଥାର କାଉନସେଲର ମାନେ ପ୍ରକାଶ କରିଛନ୍ତି।

Related posts