ନୂତନ ଆଇସିସି ଅଧ୍ୟକ୍ଷ ହେବେ କି ଜୟ ଶାହା?: ଶୀଘ୍ର ଏକ ନୂତନ ଭୂମିକାରେ ଆସିବେ ନଜର!

Published: Aug 21, 2024, 9:38 am IST

ନୂଆଦିଲ୍ଲୀ: ବର୍ତ୍ତମାନର ଆଇସିସି ଅଧ୍ୟକ୍ଷ ଗ୍ରେଗ ବାର୍କଲେ ଘୋଷଣା କରିଛନ୍ତି ଯେ, ତାଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ସେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାକୁ ଯାଉଛନ୍ତି। ଏଭଳି ପରିସ୍ଥିତିରେ ନୂତନ ଚେୟାରମ୍ୟାନ୍ ହେବାର ଦୌଡ ଆକର୍ଷଣୀୟ ହୋଇପାରିଛି, ଯେଉଁଥିରେ ବର୍ତ୍ତମାନର ବିସିସିଆଇ ସଚିବ ଜୟ ଶାହାଙ୍କ ନାମ ମଧ୍ୟ ସାମ୍ନାକୁ ଆସୁଛି। ଜୟ ଶାହା ଚେୟାରମ୍ୟାନ୍ ଭୂମିକାରେ ଆସିବାକୁ ଚାହୁଁଛନ୍ତି କି ନାହିଁ, ଅଗଷ୍ଟ ୨୭ ତାରିଖ ସୁଦ୍ଧା ଏହା ସ୍ପଷ୍ଟ ହୋଇଯିବ। କାରଣ ୨୭ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ଆଇସିସି ଅଧ୍ୟକ୍ଷ ପଦ ପାଇଁ ଆବେଦନ କରିପାରିବେ।

ପ୍ରକାଶ ଯେ, ଜଣେ ବ୍ୟକ୍ତି ତିନିଥର ଆଇସିସି ଚେୟାରମ୍ୟାନ୍ ହୋଇପାରିବେ ଏବଂ କାର୍ଯ୍ୟକାଳ ୨ ବର୍ଷ ହେବ। ନ୍ୟୁଜିଲ୍ୟାଣ୍ଡର ଗ୍ରେଗ ବାର୍କଲେ ଶୀଘ୍ର ଚେୟାରମ୍ୟାନ୍ ଭାବରେ ଚାରି ବର୍ଷ ପୂରଣ କରିବେ ଏବଂ ତାଙ୍କର ବର୍ତ୍ତମାନର କାର୍ଯ୍ୟକାଳ ନଭେମ୍ବର 3୩୦ ତାରିଖରେ ଶେଷ ହେବ। ଅର୍ଥାତ୍ ଡିସେମ୍ବର ୧ ତାରିଖରୁ ନୂତନ ଚେୟାରମ୍ୟାନ୍ ଆଇସିସି ଦାୟିତ୍ଵ ଗ୍ରହଣ କରିବେ ଏବଂ ଏହି ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ ଅଗଷ୍ଟ ୨୭ ତାରିଖ ପର୍ଯ୍ୟନ୍ତ ରଖାଯାଇଛି।

ଜୟ ଶାହା ଆବେଦନ କରିବେ କି?:

ପୂର୍ବରୁ ମଧ୍ୟ କଳ୍ପନାଜଳ୍ପନା ଚାଲିଛି ଯେ, ଜୟ ଶାହା ହେଉଛନ୍ତି ସବୁଠାରୁ ବଡ ପ୍ରତିଯୋଗୀ ଯିଏ ଆଇସିସି ଚେୟାରମ୍ୟାନ୍ ଭାବରେ ଗ୍ରେଗ ବାର୍କଲେଙ୍କ ସ୍ଥାନ ନେଇପାରିବେ। ପ୍ରକାଶ ଯେ, ଜୟ ଶାହା ୨୦୧୯ ରେ ବିସିସିଆଇ ସଚିବ ଭାବରେ ଦୟାଇତ୍ଵ ଗ୍ରହଣ କରିଥିଲେ ଏବଂ ୨୦୨୫ ମସିହାରେ ସେ ଏହି ପଦବୀରେ ୬ ବର୍ଷ ପୂରଣ କରିବେ। ଶ୍ରୀ ଶାହା ବର୍ତ୍ତମାନ ଆଇସିସିରେ ଆର୍ଥିକ ଏବଂ ବାଣିଜ୍ୟିକ ବ୍ୟାପାରର ମୁଖ୍ୟ ଅଟନ୍ତି। ଭଲ କଥା ହେଉଛି ସମସ୍ତ ୧୬ ଭୋଟ୍ ସଦସ୍ୟଙ୍କ ସହ ଶାହାଙ୍କର ବହୁତ ଭଲ ସମ୍ପର୍କ ଅଛି।

ଏହା ମଧ୍ୟ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ଯେ, ଜୟ ଶାହା ମାତ୍ର ୩୫ ବର୍ଷ ବୟସରେ ସର୍ବକନିଷ୍ଠ ଆଇସିସି ଚେୟାରମ୍ୟାନ୍ ହୋଇ ଇତିହାସ ସୃଷ୍ଟି କରିପାରନ୍ତି। ତାଙ୍କ ପୂର୍ବରୁ ଜଗମୋହନ ଡାଲମିଆ, ଶରଦ ପାୱାର, ଏନ ଶ୍ରୀନିବାସନ ଏବଂ ଶଶାଙ୍କ ମନୋହର ହେଉଛନ୍ତି ଭାରତୀୟ, ଯେଉଁମାନେ ଆଇସିସି ଚେୟାରମ୍ୟାନ୍ ଭାବରେ କାର୍ଯ୍ୟ କରିଛନ୍ତି।

Related posts