ବିନେଶ ଫୋଗାଟଙ୍କ ବିରୋଧରେ ‘କ୍ୟାପଟେନ’ ଙ୍କୁ ଟିକେଟ ଦେଲା ବିଜେପି: କିଏ ସେ ପ୍ରାର୍ଥୀ?

Published: Sep 11, 2024, 7:51 am IST

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ବିଜେପି ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ଦଳ ୨୧ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ରେସଲର ତଥା କଂଗ୍ରେସ ପ୍ରାର୍ଥୀ ବିନେଶ ଫୋଗାଟଙ୍କ ବିରୋଧରେ ଜୁଲାନାରୁ କ୍ୟାପଟେନ ଯୋଗେଶ ବୈରାଗୀଙ୍କୁ ବିଜେପି ଟିକେଟ ଦେଇଛି।

ବାସ୍ତବରେ ଗତ ସପ୍ତାହରେ କୁସ୍ତିଯୋଦ୍ଧା ବିନେଶ ଫୋଗାଟ ଏବଂ ବଜରଙ୍ଗ ପୁନିଆ କଂଗ୍ରେସରେ ଯୋଗ ଦେଇଥିଲେ। ଯେତେବେଳେ କଂଗ୍ରେସ ବିନେଶ ଫୋଗାଟଙ୍କୁ ଜିନ୍ଦ ଜିଲ୍ଲାର ଜୁଲାନା ବିଧାନସଭା ଆସନରୁ ପ୍ରାର୍ଥୀ କରିଥିଲା। ବର୍ତ୍ତମାନ ବିଜେପି ମଧ୍ୟ ଏହି ଆସନରୁ ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ପ୍ରକାଶ ଯେ, ଜୁଲାନା ବିଧାନସଭା ଆସନ ହେଉଛି ରାଜ୍ୟର ଅନ୍ୟତମ ହଟ ସିଟ୍।

କ୍ୟାପଟେନ ଯୋଗେଶ ବୈରାଗୀ କିଏ?:

ବିନେଶ ଫୋଗାଟଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୩୫ ବର୍ଷୀୟ କ୍ୟାପଟେନ ଯୋଗେଶ ବୈରାଗୀ ଜିନ୍ଦ ଜିଲ୍ଲାର ସଫିନ୍ଦୋର ବାସିନ୍ଦା। ତାଙ୍କ ଅଞ୍ଚଳରେ ଥିବା ଅନେକ ସମସ୍ୟା, ବିଶେଷକରି ବେକାରୀ ସମସ୍ୟା ଦେଖି ଯୋଗେଶ ବୈରାଗୀ ରାଜନୀତିରେ ପ୍ରବେଶ କରିଥିଲେ। ଯୋଗେଶ ହେଉଛନ୍ତି ହରିୟାଣା ବିଜେପିର ଯୁବା ମୋର୍ଚ୍ଚା ଉପାଧ୍ୟକ୍ଷ।

ରାଜନୀତିରେ ଯୋଗଦେବା ପୂର୍ବରୁ ଯୋଗେଶ ବୈରାଗୀ ଜଣେ ବରିଷ୍ଠ ପାଇଲଟ୍ ଥିଲେ। ଚେନ୍ନାଇରେ ବନ୍ୟା ବିପର୍ଯ୍ୟୟ ସମୟରେ କ୍ୟାପଟେନ ଯୋଗେଶ ବୈରାଗୀ ରିଲିଫ ସାମଗ୍ରୀ ବିତରଣ କରିଥିଲେ ଏବଂ ଲୋକଙ୍କୁ ସାହାଯ୍ୟ କରିଥିଲେ। ଏହା ବ୍ୟତୀତ, କରୋନା ଅବଧିରେ ସେ ବନ୍ଦେ ଭାରତ ମିଶନରେ ସକ୍ରିୟ ଭୂମିକା ଗ୍ରହଣ କରି ବହୁ ପ୍ରଶଂସା ଲାଭ କରିଥିଲେ। ବର୍ତ୍ତମାନ ଦଳ ତାଙ୍କୁ ହରିୟାଣାର ସବୁଠାରୁ ହଟ ସିଟ୍ ଜୁଲାନା ଆସନରୁ ପ୍ରାର୍ଥୀ କରିଛି।

Related posts