ବିଜେପି ସଭାପତି ମନମୋହନ ସାମଲ ଝାମ୍ପିବାକୁ ବେଶୀ ଭଲ ପାଆନ୍ତି, ଏମିତି କାହିଁକି କହିଲା ବିଜେଡି

Published: Oct 3, 2024, 6:19 pm IST

ଭୁବନେଶ୍ବର: ଆଜି ବିଜେପି ସଭାପତି ମନମୋହନ ସାମଲଙ୍କୁ ବିଜେଡି କଡା ସମାଲୋଚନା କରିଛି। ଗତକାଲି ମନମୋହନ ବିଜେଡିର ବହୁ ନେତା ବିଜେପିରେ ଯୋଗଦେବେ ଏବଂ ବିଜେଡି ଖାଲି ହୋଇଯିବ ବୋଲି କହିବା ପରେ ବିଜେଡି ଏହି ପ୍ରତିକ୍ରିୟା ଦେଇଛି। ଆଜି ଶଙ୍ଖ ଭବନରେ ଦଳର ନେତା ଲେନିନ ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ସେ ମନମୋହନଙ୍କ ଏହି ବୟାନକୁ ତୀବ୍ର ବିରୋଧ କରିଛନ୍ତି।

ସେ କହିଛନ୍ତି ଯେ, ମନମୋହନ ଆମ ବିଜେଡିର ଜଣେ ଯୁବ ନେତାଙ୍କଠାରୁ ହାରିଛନ୍ତି। ପୂର୍ବରୁ ମଧ୍ୟମ ଆମର ସେହି ଯୁବ ନେତା ତାଙ୍କୁ ହରାଇଛନ୍ତି। ତେଣୁ ତାଙ୍କର କିଛି ଖାତା ଖତିୟାନ ନାହିଁ। ଏପରିକି ତାଙ୍କ ଦଳରେ ମଧ୍ୟ ତାଙ୍କର ଆଉ ଖାତିରି ନାହିଁ। ଫଳରେ ମନମୋହନ ଏବେ ଖାଲି ମିଛ ବୟାନ ବାଜି ଦେବାରେ ଲାଗିଛନ୍ତି ବୋଲି ଲେନିନ କହିଛନ୍ତି।

ସେ କହିଛନ୍ତି ଗତକାଲି ଗାନ୍ଧୀ ଜୟନ୍ତୀରେ ବିଜେଡି ତାହାର ପଦଯାତ୍ରା ଆରମ୍ଭ କରିଛି। ଏଥିରେ ଦଳର ସଭାପତି ନବୀନ ପଟ୍ଟନାୟକ ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି। ସେଠାରେ ଲୋକମାନଙ୍କର ନବୀନ ପଟ୍ଟନାୟକଙ୍କ ପ୍ରତି ଯେଉଁ ଭଲ ପାଇବା ତାହା ବିଜେପି ଦେହରେ ଯାଇ ନାହିଁ। ଏହି ପଦଯାତ୍ରା ପରେ ପରେ ବିଜେପିର ଦୁଇ ଜଣ ମୁଖପାତ୍ର କିଛି ସମୟ ବ୍ୟବଧାନରେ ଦୁଇ ଥର ସାମ୍ବାଦିକ ସମ୍ମିଳନୀ କଲେ। ସେଥିରେ ମଧ୍ୟ ସନ୍ତୁଷ୍ଠ ହେଲା ନାହିଁ। ପୁଣି ଖୋଦ ସଭାପତି ଶ୍ରୀ ସାମଲ ଗଣମାଧ୍ୟମ ଆଗକୁ ଆସିଲେ।

ସଭାପତି କହିଲେ ଯେ, ବିଜେଡିର ବହୁ ନେତା ବିଜେପିରେ ସାମିଲ ହେବେ ବୋଲି କୁଆଡେ ଆବେଦନ କରିଛନ୍ତି। ବିଜେଡି ଖାଲି ହୋଇଯିବ ବୋଲି କହୁଛନ୍ତି। ମନମୋହନ ଦୁଇ ଜଣ ରାଜ୍ୟସଭା ସାଂସଦକୁ ନେଇ ଗଲେ ବୋଲି ଭାବିଛନ୍ତି ସମସ୍ତେ ପଳେଇବେ। ମନମୋହନ ସାମଲ ଝାମ୍ପିବାକୁ ବେଶୀ ଭଲ ପାଆନ୍ତି। ସେଥିପାଇଁ ସେ ଭାବିଛନ୍ତି ବିଜେଡିରୁ କାହାକୁ ଝାମ୍ପି ନେବେ। ହେଲେ ସେ ଚଞ୍ଚକତା ଆଉ ସାମଲବାବୁ କରନ୍ତୁ ନାହିଁ ବୋଲି ଲେନିନ କହିଛନ୍ତି।

Related posts