ବାଣପୁର ବ୍ଲକସ୍ତରୀୟ ନିପୁଣ ଓଡ଼ିଶା କାର୍ଯ୍ୟକ୍ରମର ଶୁଭାରମ୍ଭ

Published: Oct 4, 2024, 11:32 am IST

ବାଣପୁର (ସୀତାରାମ ଅଗ୍ରୱାଲ): ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ, ବାଣପୁର ଆନୁକୂଲ୍ୟରେ ବାଣପୁର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷଠାରେ ମଣ୍ଡଳସ୍ତରୀୟ ନିପୁଣ ଓଡ଼ିଶା କାର୍ଯ୍ୟକ୍ରମର ଶୁଭାରମ୍ଭ ଗୁରୁବାର ଦିନ ହୋଇଯାଇଛି। ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ସି.ଏଚ୍. ବିଜୟଲକ୍ଷ୍ମୀଙ୍କ ଆବାହକତ୍ୱରେ ମୁଖ୍ୟ ଅତିଥିଭାବେ ବାଣପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଏହାକୁ ଉଦ୍‌ଘାଟନ କରିଥିଲେ।

ମୁଖ୍ୟବକ୍ତା ଭାବେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ, ଖୋର୍ଦ୍ଧାର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ମହେଶ କୁମାର ବେହେରା ଯୋଗ ଦେଇ ମୌଳିକ ସ୍ତରରେ ପିଲାମାନଙ୍କର ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ସମ୍ବନ୍ଧୀୟ ସମସ୍ତ ଦକ୍ଷତା ଓ କୌଶଳ ହାସଲ ନିମନ୍ତେ ପିତାମାତା, ଶିକ୍ଷକ ଶିକ୍ଷୟିତ୍ରୀ, ଗୋଷ୍ଠୀ ଓ ଜନପ୍ରତିନିଧିମାନଙ୍କର ମିଳିତ ସହଯୋଗର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ।

ସମ୍ମାନୀତ ଅତିଥି ଖୋର୍ଦ୍ଧା ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ଗୋପିନାଥ ମହାରଣା ଓ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନର ଦକ୍ଷତାଗୁଡ଼ିକୁ ହାସଲ କରିବା ନିମନ୍ତେ ସମସ୍ତେ ଯତ୍ନବାନ ହେବାକୁ ମତାମତ ଦେଇଥିଲେ। ଉପସ୍ତିତ ବାଣପୁରର ୧୭ ଗ୍ରାମ ପଞ୍ଚାୟତର ସରପଞ୍ଚ ମାନେ ନିପୁଣ ଓଡ଼ିଶା କାର୍ଯ୍ୟକ୍ରମକୁ ବ୍ୟବସ୍ଥିତ ଢଙ୍ଗରେ ଆଗେଇ ନେଇ ସଫଳ କରିବାକୁ ଦୃଢ ପ୍ରତିଶୃତି ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ସଫଳ କରିବାକୁ ଶିକ୍ଷକ, ଅଭିଭାବକ, ଜନପ୍ରତିନିଧି ,ସାମ୍ବାଦିକ , ପ୍ରଶାସନ ଓ ଶିକ୍ଷା ବିଭାଗର ଅଧିକାରୀ ମାନଙ୍କର ସହଭାଗୀତାର ଆବଶ୍ୟକତା ରହିଛି।

ବିଦ୍ୟାଳୟସ୍ତରରେ ନିପୁଣ ଓଡ଼ିଶା କାର୍ଯ୍ୟକ୍ରମକୁ କାର୍ଯ୍ୟକାରି ଓ ସଫଳ କରିବାପାଇଁ ଉପସ୍ଥିତ ଅଂଶଗ୍ରହଣକାରୀ ମାନେ ଶପଥ ପାଠ କରିଥିଲେ। ଏହି ପରିପ୍ରେକ୍ଷୀରେ ସମସ୍ତ ଅତିଥିମାନଙ୍କ ଦ୍ଵାରା ନିପୁଣ ଓଡ଼ିଶା ଲୋଗୋ ଉନ୍ମୋଚିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ବାଣପୁର ବ୍ଳକ ଏ.ବି.ଡି. ଓ , ସି.ଡ଼ି.ପି.ଓ. , ସମସ୍ତ ସି.ଆର୍.ସି.ସି., ପ୍ରଧାନଶିକ୍ଷକ, ପ୍ରଧାନଶିକ୍ଷୟିତ୍ରୀ ଓ ଶିକ୍ଷକ ଉପସ୍ଥିତ ଥିଲେ। ଶେଷରେ ମଣ୍ଡଳ ସାଧନ କେନ୍ଦ୍ର ସଂଯୋଜକ ପ୍ରଭାତ କୁମାର ସେଠି ଧନ୍ୟବାଦ ଅର୍ପଣ କରିଥିଲେ।

Related posts