ଡବଲ ଇଞ୍ଜିନ୍ ର ଅର୍ଥ ଅଧିକ ଦୁର୍ନୀତି, ଅଧିକ ବେକାରୀ: ବିଜେପିକୁ କଟାକ୍ଷ କଲେ ଅରବିନ୍ଦ କେଜ୍ରିୱାଲ

Published: Oct 6, 2024, 8:54 pm IST

ନୂଆଦିଲ୍ଲୀ: ବସ୍ ମାର୍ଶଲ, ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ପ୍ରଦର୍ଶନ ପ୍ରସଙ୍ଗରେ ଆଜି ଆମ୍ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ବିଜେପି ଉପରେ ଆକ୍ରମଣ କରିଛନ୍ତି। ଦିଲ୍ଲୀର ଛତ୍ରସାଲ ଷ୍ଟାଡିୟମରେ ଚାଲିଥିବା ‘ଜନତା କି ଅଦାଲତ’ କାର୍ଯ୍ୟକ୍ରମରେ ଯୋଗ ଦେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଲ୍ଲୀକୁ ଏକ ‘ପୂର୍ଣ୍ଣ ରାଜ୍ୟ’ କରିବା ଏବଂ ସ୍ଥାନୀୟ ପ୍ରଶାସନରେ ଉପ-ରାଜ୍ୟପାଳ (ଏଲଜି) ଙ୍କ ପ୍ରଭାବ ହ୍ରାସ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ସେ କହିଛନ୍ତି ଯେ, ଆଜି ମୁଁ ଏକ ଶପଥ ନେଉଛି। ଏହି ଜୀବନରେ ମୁଁ ଦିଲ୍ଲୀକୁ ପୂର୍ଣ୍ଣ ରାଜ୍ୟ କରିବି, ଦିଲ୍ଲୀକୁ ଉପ-ରାଜ୍ୟପାଳ ମୁକ୍ତ କରିବି। ଉଭୟ ହରିୟାଣା, ଜାମ୍ମୁ କାଶ୍ମୀରରେ ବିଜେପି ସଂଘର୍ଷ କରୁଛି ଏବଂ ସେମାନଙ୍କ ପାଇଁ ଜନସାଧାରଣଙ୍କ ସମର୍ଥନ ହ୍ରାସ ପାଇଛି।

ସେ କହିଛନ୍ତି ଯେ, “ମହାରାଷ୍ଟ୍ର ଏବଂ ଝାଡଖଣ୍ଡରେ ହେବାକୁ ଥିବା ନିର୍ବାଚନରେ ​​ବିଜେପିକୁ ପରାଜୟର ସାମ୍ନା କରିବାକୁ ପଡିବ। ବିଜେପି ର ଡବଲ ଇଞ୍ଜିନ୍ ସରକାରକୁ କଟାକ୍ଷ କରି ସେ କହିଛନ୍ତି ଯେ,”ଡବଲ ଇଞ୍ଜିନ୍ ର ଅର୍ଥ ଅଧିକ ଦୁର୍ନୀତି, ଅଧିକ ବେକାରୀ।

ସେ ଆହୁରି କହିଛନ୍ତି ଯେ, “ବର୍ତ୍ତମାନ ଦେଶରେ ଡବଲ ଇଞ୍ଜିନ ବିଫଳ ହୋଇଛି। ପ୍ରଥମ ଇଞ୍ଜିନ୍ ଜୁନ୍ ରେ ବିଫଳ ହୋଇଥିଲା। ଦ୍ୱିତୀୟରେ ଝାଡଖଣ୍ଡ ଏବଂ ମହାରାଷ୍ଟ୍ରରେ ମଧ୍ୟ ଡବଲ୍ ଇଞ୍ଜିନ୍ ସରକାର ବିଫଳ ହେବ। ଏବେ ଦିଲ୍ଲୀ ନିର୍ବାଚନ ଆସୁଛି। ସେମାନେ କହିବେ ଏକ ଡବଲ୍ ଇଞ୍ଜିନ୍ ସରକାର ଗଠନ କରନ୍ତୁ। ସେମାନଙ୍କୁ ପଚାରନ୍ତୁ ହରିୟାଣାର ଲୋକମାନେ କ’ଣ କରିଛନ୍ତି? ହରିୟାଣାର ଲୋକମାନେ ମଧ୍ୟ ବିଜେପି ଲୋକଙ୍କୁ ନିଜ ଗାଁରେ ପ୍ରବେଶ କରିବାକୁ ଦେଉନାହାଁନ୍ତି।

Related posts