ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ମତ୍ସ୍ୟକର୍ମୀ ୟୁନିୟନ ପକ୍ଷରୁ ଦାବିପତ୍ର ପ୍ରଦାନ

Published: Dec 18, 2024, 3:12 pm IST

ବ୍ରହ୍ମପୁର: କଇଁଛ ସଂରକ୍ଷଣ ଅଂଚଳରେ ମାଛ ଧରିବାକୁ ଯିବା ସମୟରେ ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ମୁହାଣ ଅଞ୍ଚଳରେ ବାଧା ସୃଷ୍ଟି ନକରିବା ଲାଗି ମଙ୍ଗଳବାର ଓଡିଶା ପାରମ୍ପରିକ ମତ୍ସ୍ୟ କର୍ମୀ ୟୁନିୟନ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। କଇଁଛ ସୁରକ୍ଷା ସମୟରେ ପାରମ୍ପରିକ ମତ୍ସ୍ୟ କର୍ମୀ ଙ୍କୁ ମାଛ ଧରିବା ପାଇଁ ସିଇସି ରିପୋର୍ଟରେ ଉଲ୍ଲେଖ ରହିଛି। ସେମାନେ ଯେଉଁ ଜାଲ ବ୍ୟବହାର କରୁଛନ୍ତି ସେହି ଜାଲ ଦ୍ୱାରା କଇଁଛ ମାନଙ୍କ କୌଣସି କ୍ଷତି ଘଟୁନାହିଁ। ଏଣୁ ସେମାନଙ୍କୁ ବାଧା ସୃଷ୍ଟି ନକରିବା, ରିଙ୍ଗ ଜାଲକୁ ବର୍ତ୍ତମାନ ପରିବର୍ତନ ହୋଇ ଶିକ୍ଷା ଜାଲ ନାମରେ ନାମିତ କରାଯାଇଛି।

ଏହି ଜାଲ ଦ୍ୱାରା କଇଁଛଙ୍କ କୌଣସି କ୍ଷତି ଘଟୁନାହିଁ। ଏଣୁ ଏହି ଜାଲକୁ ମଧ୍ୟ ମାଛ ମାରିବା ପାଇଁ ଅନୁମତି ପ୍ରଦାନ କରିବା, କଇଁଛ ସୁରକ୍ଷା ସମୟରେ ଯେଉଁ ଅଞ୍ଚଳ ମାଛ ଧରିବା ପାଇଁ ନିଷେଧ କରାଯାଇଛି ଉକ୍ତ ଅଂଚଳରେ ମାଛ ଧରାଯାଉନାହିଁ କିନ୍ତୁ କୌଣସି କାରଣ ବଶତଃ ସମୁଦ୍ର ସ୍ରୋତ ଯୋଗୁଁ ଜାଲଟି ନିଷେଧ ଅଞ୍ଚଳକୁ ଚାଲି ଆସିଲେ ସେହି ଡ଼ଙ୍ଗାକୁ ଛଡ଼ାଯିବାର ବ୍ୟବସ୍ଥା କରାଯିବ।

ବର୍ତ୍ତମାନ କଇଁଛ ସୁରକ୍ଷା ସମୟରେ ସରକାର ଜୀବନ ଜୀବିକା ପାଇଁ ସହାୟତା ରାଶି ଭାବେ ଦେଉଥିବା ୧୫ ହଜାର ଟଙ୍କାକୁ ସମସ୍ତ ୧୮ ରୁ ୭୦ ବର୍ଷ ବୟସ୍କ ମତ୍ସଯିବି ମାନଙ୍କୁ ପ୍ରଦାନ କରାଯିବା ସହ ବିଧବା ମହିଳା, ମାଛ ବ୍ୟବସାୟୀ ଓ ସେମାନଙ୍କୁ ସହଯୋଗ କରୁଥିବା ମହିଳାଙ୍କୁ ସେହି ଯୋଜନାରେ ସାମିଲ କରାଯିବ। କଇଁଛ ସୁରକ୍ଷା ଅଂଚଳରେ ମାଛ ଧରିବା ନିଷେଧ ସମୟକାଳ ନଭେମ୍ବର ୧ ଠାରୁ ମେ ୩୧ ତାରିଖ ରହିଛି। ଏହାକୁ ପରିବର୍ତ୍ତନ କରି ଜାନୁଆରୀ ୧ ରୁ ଏପ୍ରିଲ ୩୦ ତାରିଖ କରିବା ସମେତ ବିଭିନ୍ନ ଦାବି ସମ୍ପର୍କରେ ସେମାନେ ଉକ୍ତ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ।

Related posts