
ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଗୋଦାବରୀଶ ମହାବିଦ୍ୟାଳୟକୁ ବିଭିନ୍ନ ବିକାଶ ମୂଳକ କାମ ପାଇଁ ୪ କୋଟି ଟଙ୍କା ସରକାରୀ ଅନୁଦାନ ମିଳିଛି। ନୂତନ ସରକାର ଦାୟିତ୍ଵ ନେବାପରେ ଜୁଲାଇ ମାସ ୨୬ ତାରିଖରେ ମହାବିଦ୍ୟାଳୟର ୬୧ ତମ ସ୍ଵନକ୍ଷତ୍ର ଦିବସ ଉପଲକ୍ଷେ ଆୟୋଜିତ ଉତ୍ସବରେ ଯୋଗଦେଇ ଆଇନ, ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ତଥା ବାଣପୁରର ବରପୁତ୍ର ପୃଥ୍ୱୀରାଜ ହରିଚନ୍ଦନ ଓ ଉଚ୍ଚଶିକ୍ଷା ତଥା ଯୁବ ଓ କ୍ରୀଡ଼ା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ ମହାବିଦ୍ୟାଳୟର କ୍ରୀଡା ଭିତ୍ତିଭୂମୀ, ଛାତ୍ରୀନିବାସ, ପାଠାଗାର ଇତ୍ୟାଦିର ନିର୍ମାଣ ପାଇଁ ଯେଉଁ ଅନୁଦାନ ଘୋଷଣା କରିଥିଲେ ଆଜି ତଦନୁଯାୟୀ ମହାବିଦ୍ୟାଳୟକୁ ଏହି ଅର୍ଥରାଶି ପ୍ରଦାନ କରାଯାଇଛି।
ଏଥି ନିମନ୍ତେ ମହାବିଦ୍ୟାଳୟ ପୁରାତନ ଛାତ୍ର ସଂସଦର ସଭାପତି ଜିତେନ୍ଦ୍ର କୁମାର ଭୋଳ, ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ଓ ମହାବିଦ୍ୟାଳୟ ଅଧ୍ୟକ୍ଷ ବିନାୟକ ହୋତାଙ୍କ ପ୍ରଚେଷ୍ଟା ପ୍ରଶଂସନୀୟ।ମାନ୍ୟବର ମନ୍ତ୍ରୀ ମହାବିଦ୍ୟାଳୟର ଅଭାବ ଅସୁବିଧା ଗୁଡ଼ିକୁ ହୃଦୟଙ୍ଗମକରି ଏହାର ଆଶୁ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିଥିବାରୁ ବାଣପୁରର ଜନସାଧାରଣ, ମହାବିଦ୍ୟାଳୟର ଛାତ୍ର ଛାତ୍ରୀ,ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଅଧ୍ୟକ୍ଷଙ୍କ ତରଫରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଓ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ଅଶେଷ କୃତଜ୍ଞତା ଜ୍ଞାପନ କରାଯାଇଛି।