Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ତ୍ରିଭୁବନ ସହକାରୀ ୟୁନିଭର୍ସିଟି ବିଲ୍, ୨୦୨୫ ଉପରେ ହୋଇଥିବା ବିତର୍କର ଉତ୍ତର ରଖିଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ
ଆଜିର ଖବର

ତ୍ରିଭୁବନ ସହକାରୀ ୟୁନିଭର୍ସିଟି ବିଲ୍, ୨୦୨୫ ଉପରେ ହୋଇଥିବା ବିତର୍କର ଉତ୍ତର ରଖିଲେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ

March 27, 2025No Comments6 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହ ଲୋକସଭାରେ ତ୍ରିଭୁବନ ସହକାରୀ ୟୁନିଭର୍ସିଟି (ସମବାୟ ବିଶ୍ୱବିଦ୍ୟାଳୟ) ବିଲ୍, ୨୦୨୫ ଉପରେ ହୋଇଥିବା ବିତର୍କର ଉତ୍ତର ଦେଇଛନ୍ତି। ଆଲୋଚନା ପରେ ସଦନ ଏହି ବିଲକୁ ଗୃହୀତ କରିଥିଲା।

ଏହି ଆଲୋଚନାର ଉତ୍ତର ଦେଇ କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ କହିଥିଲେ ଯେ ସମବାୟ ହେଉଛି ଏପରି ଏକ ବିଷୟ ଯାହା ଦେଶର ପ୍ରତ୍ୟେକ ପରିବାରକୁ ସ୍ପର୍ଶ କରିଥାଏ। ପ୍ରତ୍ୟେକ ଗାଁର କିଛି ନା କିଛି ୟୁନିଟ୍ ସମବାୟ ମାଧ୍ୟମରେ କୃଷି ବିକାଶ, ଗ୍ରାମୀଣ ବିକାଶ ଏବଂ ଆତ୍ମନିଯୁକ୍ତି କାର୍ଯ୍ୟରେ ନିୟୋଜିତ ହୋଇ ଦେଶର ବିକାଶରେ ଯୋଗଦାନ କରିଥାଏ।

ଶ୍ରୀ ଶାହ କହିଥିଲେ ଯେ, ସ୍ୱାଧୀନତାର ୭୫ ବର୍ଷ ପରେ ଆଜି ଦେଶକୁ ଏହାର ପ୍ରଥମ ସମବାୟ ବିଶ୍ୱବିଦ୍ୟାଳୟ ମିଳୁଛି। ସେ କହିଥିଲେ ଯେ ଏହି ବିଲ୍ ପାରିତ ହେବା ପରେ ଗ୍ରାମୀଣ ଅର୍ଥବ୍ୟବସ୍ଥା ସୁଦୃଢ଼ ହେବ, ଆତ୍ମନିଯୁକ୍ତି ଓ କ୍ଷୁଦ୍ର ଉଦ୍ୟୋଗୀତାର ବିକାଶ ହେବ, ସାମାଜିକ ଅନ୍ତର୍ଭୂକ୍ତିକରଣ ବୃଦ୍ଧି ପାଇବ ଏବଂ ନବସୃଜନ ଓ ଗବେଷଣାରେ ଅନେକ ନୂତନ ମାନଦଣ୍ଡ ସ୍ଥାପନ କରିବାର ସୁଯୋଗ ମଧ୍ୟ ମିଳିବ। ଶ୍ରୀ ଶାହ କହିଥିଲେ ଯେ ସମଗ୍ର ଦେଶକୁ ସମବାୟ ଭାବନା ଏବଂ ଆଧୁନିକ ଶିକ୍ଷାରେ ସଜ୍ଜିତ ଏକ ନୂତନ ସମବାୟ ନେତୃତ୍ୱ ମିଳିବ।

ଅମିତ ଶାହ କହିଥିଲେ ଯେ ଏହି ସମବାୟ ବିଶ୍ୱବିଦ୍ୟାଳୟର ନାମ ତ୍ରିଭୁବନ ସହକାରୀ ୟୁନିଭର୍ସିଟୀ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ତ୍ରିଭୁବନ ଦାସ ପଟେଲ ସେହି ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ଯିଏ ସର୍ଦ୍ଦାର ପଟେଲଙ୍କ ଭଳି ଜଣେ ମହାନ ନେତାଙ୍କ ସହ ମିଶି ଭାରତରେ ସମବାୟ ସମିତିର ମୂଳଦୁଆ ପକାଇଥିଲେ। ସେ କହିଥିଲେ ଯେ ଆଜି ଗୁଜରାଟ ରାଜ୍ୟ ସମବାୟ ଦୁଗ୍ଧ ବିପଣନ ମହାସଂଘ (ଜିସିଏମଏମଏଫ), ଯାହାକୁ ଆମେ ସମସ୍ତେ ଅମୁଲ ଭାବେ ଜାଣୁ ତାହା  ତ୍ରିଭୁବନ ଜୀଙ୍କ ଚିନ୍ତାଧାରାରୁ ଉତ୍ପତ୍ତି ହୋଇଛି।

ଶ୍ରୀ ଶାହ କହିଥିଲେ ଯେ ୧୯୪୬ ମସିହାରେ ଗୁଜରାଟର ଏକ ସହରରେ ୨୫୦ ଲିଟର କ୍ଷୀରରୁ ଆରମ୍ଭ ହୋଇଥିବା ଅମୁଲର ଯାତ୍ରା ଆଜି ଭାରତର ସର୍ବବୃହତ୍ ଦୁଗ୍ଧ ବ୍ରାଣ୍ଡ ହୋଇ ବିଶ୍ୱ ସମ୍ମୁଖରେ ଛିଡ଼ା ହୋଇଛି। ସେ କହିଥିଲେ ଯେ ୨୦୦୩ ମସିହାରେ ଅମୁଲର କାରବାର ୨୮୮୨ କୋଟି ଟଙ୍କା ଥିଲା, ଯାହା ଆଜି ୬୦ ହଜାର କୋଟି ଟଙ୍କା ଅତିକ୍ରମ କରିଛି। ସେ କହିଛନ୍ତି ଯେ ବିରୋଧୀମାନେ ବିରୋଧ କରୁଛନ୍ତି କାରଣ ଏକ ନିର୍ଦ୍ଦିଷ୍ଟ ପରିବାର ନାମରେ କୌଣସି ବିଶ୍ୱବିଦ୍ୟାଳୟ ନାହିଁ, ସେମାନେ ଜାଣନ୍ତି ନାହିଁ ଯେ ତ୍ରିଭୁବନ ଦାସ ପଟେଲ ଜୀ ମଧ୍ୟ ସେମାନଙ୍କର ନେତା ଥିଲେ।

କେନ୍ଦ୍ର ସମବାୟ ମନ୍ତ୍ରୀ କହିଥିଲେ ଯେ ୨୦୧୪ରେ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ଗଠନ ହେବା ପରେ ଦେଶର ଗରିବଙ୍କ ପାଇଁ ୧୦ ବର୍ଷର ଅବଧି ସ୍ୱର୍ଣ୍ଣିମ ଅକ୍ଷରରେ ଲେଖାଯିବ। ଏହି ୧୦ ବର୍ଷ ମଧ୍ୟରେ ଘର, ଶୌଚାଳୟ, ପାନୀୟ ଜଳ, ୫ କିଲୋ ମାଗଣା ଖାଦ୍ୟଶସ୍ୟ, ଗ୍ୟାସ୍ ସଂଯୋଗ, ୫ ଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସା ଏବଂ ଦେଶର ଗରିବ ଲୋକଙ୍କୁ ବିଦ୍ୟୁତ୍ ଯୋଗାଇବା କାର୍ଯ୍ୟ କରାଯାଇଛି। ସେ କହିଥିଲେ ଯେ ଏହି ୧୦ ବର୍ଷ ମଧ୍ୟରେ ଦେଶର ୨୫ କୋଟି ଲୋକ ଦାରିଦ୍ର୍ୟ ସୀମାରେଖାରୁ ବାହାରିଛନ୍ତି।

ଶ୍ରୀ ଶାହ କହିଥିଲେ ଯେ ପୂର୍ବରୁ ଦେଶର କୋଟି କୋଟି ଗରିବ ଲୋକଙ୍କ ଜୀବନ ଅତ୍ୟାବଶ୍ୟକ ସାମଗ୍ରୀ କ୍ରୟ କରିବାରେ ଅତିବାହିତ ହେଉଥିଲା, ପ୍ରଧାନମନ୍ତ୍ରୀ ମୋଦୀ ଗତ ୧୦ ବର୍ଷ ମଧ୍ୟରେ ସେହି ସମସ୍ତ ଜିନିଷ ଯୋଗାଇ ଦେଇଛନ୍ତି। ସେ କହିଥିଲେ ଯେ ଏଭଳି କୋଟି କୋଟି ଲୋକ ଆଗକୁ ବଢ଼ିବାକୁ, ଉଦ୍ୟମ କରିବାକୁ ଏବଂ ଦେଶର ବିକାଶରେ ଯୋଗଦାନ କରିବାକୁ ଚାହୁଁଛନ୍ତି, କିନ୍ତୁ ସେମାନଙ୍କ ପାଖରେ ପୁଞ୍ଜି ନାହିଁ। ଶ୍ରୀ ଶାହ କହିଥିଲେ ଯେ, ସମବାୟ ସମିତିଗୁଡ଼ିକ ହିଁ ଏକମାତ୍ର ଉପାୟ ଯାହା ଦ୍ୱାରା ପୁଞ୍ଜିହୀନମାନଙ୍କୁ ଉଦ୍ୟୋଗ ବିକାଶ ସହିତ ଯୋଡ଼ାଯାଇପାରିବ। ସମବାୟ ମାଧ୍ୟମରେ, କ୍ଷୁଦ୍ର ପୁଞ୍ଜି ଥିବା କୋଟି କୋଟି ଲୋକ ଏକାଠି ହୋଇ ଉଦ୍ୟମ କରୁଛନ୍ତି, ମର୍ଯ୍ୟାଦାର ସହ ବଞ୍ଚୁଛନ୍ତି, ଏବଂ ଆତ୍ମନିଯୁକ୍ତ ହେଉଛନ୍ତି।

ଅମିତ ଶାହ କହିଥିଲେ ଯେ, ଭାରତ ଭଳି ୧୩୦ କୋଟି ଜନସଂଖ୍ୟା ବିଶିଷ୍ଟ ଦେଶରେ ଜି.ଡି.ପି. ସହିତ ନିଯୁକ୍ତି ଦେଶର ଅର୍ଥବ୍ୟବସ୍ଥା ସ୍ୱାସ୍ଥ୍ୟର ଏକ ବଡ଼ ମାନଦଣ୍ଡ। ସେ କହିଥିଲେ ଯେ ସମବାୟ ହେଉଛି ଏକମାତ୍ର କ୍ଷେତ୍ର ଯାହା ୧୩୦ କୋଟି ଲୋକଙ୍କୁ ଆତ୍ମନିଯୁକ୍ତି ଜରିଆରେ ଦେଶର ବିକାଶ ସହିତ ଯୋଡ଼ିଥାଏ ଏବଂ ସେମାନଙ୍କ ମର୍ଯ୍ୟାଦାକୁ ମଧ୍ୟ ସୁରକ୍ଷା ଦେଇଥାଏ। ଶ୍ରୀ ଶାହ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀ ସାଢ଼େ ତିନି ବର୍ଷ ପୂର୍ବେ କୃଷକ, ଗ୍ରାମବାସୀ, ସମବାୟ ନେତାମାନଙ୍କର ଦଶନ୍ଧି ଦଶନ୍ଧି ଧରି ରହିଥିବା ଦାବି ପୂରଣ କରି ସମବାୟ ମନ୍ତ୍ରଣାଳୟ ଗଠନ କରିଥିଲେ। ସେ କହିଥିଲେ ଯେ ସମବାୟ ମନ୍ତ୍ରଣାଳୟ ଗଠନ ହେବା ପରେ ସମବାୟ ସମିତିର ବିକାଶର ଏକ ନୂତନ ଅଧ୍ୟାୟ ଆରମ୍ଭ ହୋଇଛି।

କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ କହିଥିଲେ ଯେ, ଆଜି ଭାରତରେ ୮ ଲକ୍ଷ ସମବାୟ ସମିତି ରହିଛି ଏବଂ ୩୦ କୋଟି ବ୍ୟକ୍ତି ଏହାର ସଦସ୍ୟ ଅଛନ୍ତି। ଗୋଟିଏ ପ୍ରକାରରେ, ଦେଶର ପ୍ରତ୍ୟେକ ପଞ୍ଚମାଂଶ ବ୍ୟକ୍ତି ସମବାୟ ସମିତି ସହିତ ଜଡ଼ିତ, କିନ୍ତୁ ୭୫ ବର୍ଷ ଧରି ଏହାର ବିକାଶ ପାଇଁ କୌଣସି ପ୍ରୟାସ କରାଯାଇ ନଥିଲା। ଶ୍ରୀ ଶାହ କହିଥିଲେ ଯେ ସାରା ଦେଶରେ ସମବାୟ ସମିତିଗୁଡ଼ିକ ଅସମାନ ଭାବେ ଚାଲୁଥିଲା ଏବଂ ସମବାୟ ଆନ୍ଦୋଳନରେ ଅସଙ୍ଗତି ସୃଷ୍ଟି ହେବାକୁ ଲାଗିଲା। ସେଥିପାଇଁ ମୋଦୀଜୀ ସମବାୟ ମନ୍ତ୍ରଣାଳୟ ପ୍ରତିଷ୍ଠା କରିଥିଲେ। ଏହାର ଆରମ୍ଭ ପରଠାରୁ, ସମବାୟ ମନ୍ତ୍ରଣାଳୟ ଗତ ସାଢ଼େ ତିନି ବର୍ଷ ମଧ୍ୟରେ ଅନେକ କାର୍ଯ୍ୟ କରିଛି। ସେ କହିଥିଲେ ଯେ ସମବାୟ ସମିତିର ବିକାଶ ପାଇଁ ସମସ୍ତ ରାଜ୍ୟକୁ ଏକାଠି ନେଇ ସମବାୟ ଡାଟାବେସ୍ ପ୍ରସ୍ତୁତ କରାଯାଇଛି ଏବଂ ଆଜି ପ୍ରତ୍ୟେକ ରାଜ୍ୟ, ଜିଲ୍ଲା ଏବଂ ଗାଁର ସମବାୟ ସମିତିର ସୂଚନା ଏହି ଡାଟାବେସରେ ଉପଲବ୍ଧ।

କେନ୍ଦ୍ର ସ୍ୱରାଷ୍ଟ୍ର ଏବଂ ସମବାୟ ମନ୍ତ୍ରୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ସହକାର ସେ ସମୃଦ୍ଧି’ କେବଳ ଏକ ସ୍ଲୋଗାନ ନୁହେଁ, ଏହାକୁ ବାସ୍ତବ ରୂପ ଦେବା ପାଇଁ ସାଢ଼େ ତିନି ବର୍ଷ ମଧ୍ୟରେ ସମବାୟ ମନ୍ତ୍ରଣାଳୟ ଦିନ ରାତି କାମ କରିଛି। ସେ କହିଛନ୍ତି ଯେ କିଛି ମାସ ମଧ୍ୟରେ ଏକ ବହୁତ ବଡ଼ ସମବାୟ ଟ୍ୟାକ୍ସି ସେବା ଆରମ୍ଭ ହେବ, ଯେଉଁଥିରେ ଦୁଇ ଚକିଆ, ଟ୍ୟାକ୍ସି, ରିକ୍ସା ଏବଂ ଚାରି ଚକିଆ ପଞ୍ଜୀକୃତ ହୋଇପାରିବ ଏବଂ ଲାଭ ସିଧାସଳଖ ଡ୍ରାଇଭରଙ୍କୁ ଯିବ। ସେ କହିଥିଲେ ଯେ ଖୁବ୍ ଶୀଘ୍ର ଏକ ସମବାୟ ବୀମା କମ୍ପାନୀ ମଧ୍ୟ ଗଠନ ହେବାକୁ ଯାଉଛି, ଯାହା ଦେଶର ସମବାୟ ବ୍ୟବସ୍ଥାରେ ଏକ ବୀମା ଭାବେ କାର୍ଯ୍ୟ କରିବ। ଶ୍ରୀ ଶାହ କହିଥିଲେ ଯେ ଅଳ୍ପ ସମୟ ମଧ୍ୟରେ ଏହା ଘରୋଇ କ୍ଷେତ୍ରର ସର୍ବବୃହତ୍ ବୀମା କମ୍ପାନୀରେ ପରିଣତ ହେବ।

ଅମିତ ଶାହ କହିଥିଲେ ଯେ, ସମବାୟ କ୍ଷେତ୍ରର ବିକାଶ ଏବଂ ସମ୍ପ୍ରସାରଣକୁ ଦୃଷ୍ଟିରେ ରଖି ତାଲିମପ୍ରାପ୍ତ ମାନବ ସମ୍ବଳର ଆବଶ୍ୟକତା ରହିଛି ଏବଂ ଏହି ଆବଶ୍ୟକତାକୁ ପୂରଣ କରିବା ପାଇଁ ତ୍ରିଭୁବନ ସହକାରୀ ୟୁନିଭର୍ସିଟୀ କାମ କରିବ। ସମବାୟ ବିଶ୍ୱବିଦ୍ୟାଳୟ ହେବା ପରେ ଏହାର ଡିପ୍ଲୋମା ଏବଂ ଡିଗ୍ରୀଧାରୀମାନେ ଚାକିରି ପାଇବେ। ଏହି ବିଶ୍ୱବିଦ୍ୟାଳୟ ଦ୍ୱାରା ଆମେ ଘରୋଇ ତଥା ବିଶ୍ୱସ୍ତରୀୟ ମୂଲ୍ୟ ଶୃଙ୍ଖଳାରେ ଏକ ବଡ଼ ଯୋଗଦାନ ଦେବୁ। ଏହି ବିଶ୍ୱବିଦ୍ୟାଳୟରୁ ନୂତନ ଯୁଗର ସମବାୟ ସଂସ୍କୃତି ମଧ୍ୟ ଆରମ୍ଭ ହେବ। ସେ କହିଥିଲେ ଯେ ସାରା ଦେଶରେ ହଜାର ହଜାର ସମବାୟ ଶିକ୍ଷାଦାନ ଏବଂ ପ୍ରଶିକ୍ଷଣ ପ୍ରତିଷ୍ଠାନ ରହିଛି, କିନ୍ତୁ କୌଣସିଟିରେ ସାଧାରଣ ପାଠ୍ୟକ୍ରମ ନାହିଁ। ବିଶ୍ୱବିଦ୍ୟାଳୟ ହେବା ପୂର୍ବରୁ ମଧ୍ୟ ସମବାୟ କ୍ଷେତ୍ରର ଆବଶ୍ୟକତାକୁ ଧ୍ୟାନରେ ରଖି ଆମେ ପାଠ୍ୟକ୍ରମ ଡିଜାଇନ୍ କାର୍ଯ୍ୟ କରିଛୁ। ଏହି ବିଶ୍ୱବିଦ୍ୟାଳୟରେ ଡିଗ୍ରୀ, ଡିପ୍ଲୋମା ପାଠ୍ୟକ୍ରମ ଏବଂ ପିଏଚଡି ଡିଗ୍ରୀ ମଧ୍ୟ ଉପଲବ୍ଧ ହେବ ବୋଲି ସେ କହିଛନ୍ତି। ସମବାୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବର୍ତ୍ତମାନର କର୍ମଚାରୀଙ୍କ ପାଇଁ ଏକ ସପ୍ତାହର ସାର୍ଟିଫିକେଟ୍ ପାଠ୍ୟକ୍ରମ ମଧ୍ୟ ରହିବ।

କେନ୍ଦ୍ର ସମବାୟ ମନ୍ତ୍ରୀ କହିଛନ୍ତି ଯେ ଏହି ବିଲ୍ ମାଧ୍ୟମରେ ସମବାୟ ନୀତି ଏବଂ ସମବାୟ କାର୍ଯ୍ୟକଳାପ ବିସ୍ତାର ହେବ, ସମବାୟ କ୍ଷେତ୍ର ନୂତନ ପ୍ରଯୁକ୍ତିବିଦ୍ୟା ଦ୍ୱାରା ଉପକୃତ ହେବ ଏବଂ ଗ୍ରାମୀଣ ଅର୍ଥବ୍ୟବସ୍ଥା ମଧ୍ୟ ମଜବୁତ ହେବ। ଏଥି ସହିତ ଗବେଷଣା ଏବଂ ନବସୃଜନ ମଧ୍ୟ ବୃଦ୍ଧି ପାଇବ ଏବଂ ସମବାୟ କ୍ଷେତ୍ରକୁ ମଧ୍ୟ ତୃଣମୂଳ ସ୍ତରରେ ସୁଦୃଢ଼ କରାଯିବ। ଶ୍ରୀ ଶାହ କହିଥିଲେ ଯେ ତ୍ରିଭୁବନ ଦାସଙ୍କ ଭଳି ଜଣେ ମହାନ ବ୍ୟକ୍ତିଙ୍କ ନାମ ସହିତ ଯୋଡ଼ି ହୋଇ ଏହି ସମବାୟ ବିଶ୍ୱବିଦ୍ୟାଳୟ ଏକ ଉଚ୍ଚମାନର ବିଶ୍ୱବିଦ୍ୟାଳୟ ଭାବେ ପ୍ରମାଣିତ ହେବ। ଏହା ଦେଶରେ ଏକ ବହୁତ ଭଲ ସମବାୟ କାର୍ଯ୍ୟବଳ ପ୍ରଦାନ କରିବା ପାଇଁ କାର୍ଯ୍ୟ କରିବ।

ଅମିତ ଶାହ କହିଥିଲେ ଯେ ଏହି ବିଶ୍ୱବିଦ୍ୟାଳୟ ସୋସାଇଟି ପଞ୍ଜୀକରଣ ଅଧିନିୟମ, ୧୮୬୦ ଅଧୀନରେ ପଞ୍ଜୀକୃତ ହେବ। ସମବାୟ କ୍ଷେତ୍ର ପାଇଁ ସମର୍ପିତ ଦେଶର ପ୍ରଥମ ବିଶ୍ୱବିଦ୍ୟାଳୟ ସ୍ୱାଧୀନତାର ୭୫ ବର୍ଷ ପରେ ନିର୍ମାଣ ହେବ ଏବଂ ବାର୍ଷିକ ପ୍ରାୟ ୮ ଲକ୍ଷ ଲୋକଙ୍କୁ ଶିକ୍ଷା ପ୍ରଦାନ କରିବାର କ୍ଷମତା ରହିବ। ଏକ ବର୍ଷ ମଧ୍ୟରେ, ଏହା ସହିତ ଜଡିତ କଲେଜଗୁଡ଼ିକ ପ୍ରାୟ ପ୍ରତ୍ୟେକ ଜିଲ୍ଲାରେ ଖୋଲାଯିବ। ସେ କହିଥିଲେ ଯେ ଯେତେବେଳେ ପ୍ରତିବର୍ଷ ୮ ଲକ୍ଷ ଲୋକ ଡିପ୍ଲୋମା, ଡିଗ୍ରୀ କିମ୍ବା ପ୍ରମାଣପତ୍ର ନେଇ ଆସିବେ, ସେତେବେଳେ ସମବାୟ ଆନ୍ଦୋଳନରେ ଏକ ନୂତନ ଊର୍ଜା ସଞ୍ଚାଳିତ ହେବ।

ଶ୍ରୀ ଶାହ କହିଥିଲେ ଯେ ସେ ନିଜେ ୧୮ ବର୍ଷ ବୟସରୁ ଏହି ସମବାୟ ସମିତି ସହିତ ଜଡ଼ିତ ଅଛନ୍ତି ଏବଂ ଏହାର ଗୁଣ ଓ ଦୋଷକୁ ଅନୁଭବ କରିଛନ୍ତି। ସେ କହିଥିଲେ ଯେ ମୋଦୀ ଜୀ ଏକ ସମୃଦ୍ଧ ଭାରତର ମୂଳଦୁଆ ପକାଇଛନ୍ତି ଏବଂ ଏହି ବିଲ୍ ଏଥିରେ ସୁଦୃଢ଼ ଢାଞ୍ଚା ପ୍ରଦାନ କରିବ। ଶ୍ରୀ ଶାହ କହିଥିଲେ ଯେ ସମବାୟ କ୍ଷେତ୍ରରେ ଲାଭ ପ୍ରତ୍ୟେକ ଗରିବ ମହିଳାଙ୍କ ନିକଟରେ ପହଞ୍ଚିବା ତ୍ରିଭୁବନ ଦାସ ପଟେଲଙ୍କ ଦୂରଦୃଷ୍ଟି ଥିଲା, ତେଣୁ ଏହି ବିଶ୍ୱବିଦ୍ୟାଳୟକୁ ତାଙ୍କ ନାମରେ ନାମିତ କରିବାର ପ୍ରସ୍ତାବ ଦିଆଯାଇଛି।

ଅମିତ ଶାହ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ତ୍ରିଭୁବନ ସହକାରୀ ୟୁନିଭର୍ସିଟି ବିଲ୍ ଲୋକସଭା
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାରେ ଦକ୍ଷତା ବିକାଶ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ

August 5, 2025

ଅଗଷ୍ଟ  ୧୧ ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେସନ

August 5, 2025

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ପ୍ରିୟଙ୍କା ଚତୁର୍ବେଦୀ, ବିଜେପିରେ ଯୋଗଦେବା ଉପରେ ବଢିଲା କଳ୍ପନାଜଳ୍ପନା

August 5, 2025

ଇତିହାସ ରଚିଲେ ଦୀପିକା ପାଦୁକୋଣ: ପଛରେ ପଡ଼ିଲେ ଏହି ହଲିଉଡ୍ ଷ୍ଟାର

August 5, 2025
Latest News

ଓଡ଼ିଶାରେ ଦକ୍ଷତା ବିକାଶ ନେଇ କେନ୍ଦ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ

August 5, 2025

ବଳଙ୍ଗା ମୃତ ଛାତ୍ରୀଙ୍କ ଗାଁରୁ ନିମାପଡା ପର୍ଯ୍ୟନ୍ତ ନାରୀ ନ୍ୟାୟ ପଦଯାତ୍ରା କରିବ ପ୍ରଦେଶ କଂଗ୍ରେସ

August 5, 2025

ଅଗଷ୍ଟ  ୧୧ ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେସନ

August 5, 2025

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ପ୍ରିୟଙ୍କା ଚତୁର୍ବେଦୀ, ବିଜେପିରେ ଯୋଗଦେବା ଉପରେ ବଢିଲା କଳ୍ପନାଜଳ୍ପନା

August 5, 2025

ରାଜ୍ୟସ୍ତରୀୟ ବନ ଅଧିକାରୀ ସମ୍ମିଳନୀରେ ଜଙ୍ଗଲ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡା ତାଗିଦ, କହିଲେ…

August 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.