
ପୁରୀ: ଗତକାଲି ବଳଭଦ୍ରଙ୍କ ତାଳଧ୍ବଜ ରଥ ଟାଣିବା ବେଳେ ବାରମ୍ବାର ମୋଡ ନେଇଥିଲା। ଫଳରେ ପୁରା ରଥ ଟଣା କାର୍ଯ୍ୟରେ ବିଳମ୍ବ ଘଟିଲା। ତେବେ ଏଥର ବଳଭଦ୍ରଙ୍କ ରଥ କାହିଁକି ମୋଡ ନେଲା ତାହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। କାରଣ ପୂର୍ବରୁ ସେପରି କିଛି ହେଉ ନ ଥିବା ବେଳେ ଏଥର ପ୍ରଭୃ ଏପରି କାହିଁକି କଲେ ବୋଲି ପଚରାଯାଉଛି।
ଗତକାଲି ବଳଭଦ୍ରଙ୍କ ରଥ ଟଣାଯିବାର କିଛି ସମୟ ପରେ ତାହା ଡାହଣକୁ ମୋଡି ହୋଇଯାଇଥିଲା। ପୁଣି ସିଧା କରି ରାସ୍ତା ମଝିକୁ ଆଣି ଟାଣିବା ପରେ ମଧ୍ୟ ସେହି ମୋଡ ରହୁଥିଲା। ଯାହାକୁ ନେଇ ଡାହୁକ ମଧ୍ୟ ଅଡୁଆରେ ପଡିଯାଇଥିଲେ। ବାରମ୍ବାର ଏପରି ଘଟିବା ଦ୍ବାରା ରଥ ଉପରେ ଥିବା ସେବାୟତମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ତେବେ କେତେକ ସେବାୟତଙ୍କ କହିବା କଥା ଯେ, ଯେତେବେଳେ ରଥକୁ ନିର୍ମାଣ ସ୍ଥଳରୁ ସିଂହଦ୍ବାର ସାମନାକୁ ନିଆଗଲା ସେତେବେଳେ ଏହାକୁ ନେଇ ସନ୍ଦେହ ଥିଲା। କାରଣ ରଥ ସେତେବେଳେ ଠିକ ସ୍ଥାନରେ ନ ରହି ମୋଡି ହେଉଯାଉଥିଲା। ଏପରିକି ରଥ ରଥ ମଧ୍ୟରେ ଯେଉଁ ବ୍ୟବଧାନ ରହିବା କଥା ତାହା ମଧ୍ୟ ନ ଥିଲା।
ଫଳରେ ବଡଠାକୁରଙ୍କ ରଥ ଯେତେବେଳେ ଭିଡା ଗଲା ସେତେବେଳେ ଡାହୁକ ଭକ୍ତମାନଙ୍କୁ ରଥକୁ ରାସ୍ତା ମଝିକୁ ଆଣିବାକୁ ନିର୍ଦ୍ଦେଶ ଦେବେ ବୋଲି କୁହାଯାଇଥିଲା। ହେଲେ ତାହା କରିବା ପାଇଁ ରଥ ସେହିପରି ମୋଡି ହୋଇ ଆଗକୁ ଗଲା। ରାସ୍ତା ମଝିରୁ ଡାହାଣକୁ ମୋଡି ହେଉଥିବାରୁ ଡାହୁକ ରଥଟଣା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଉଥିଲେ। ହେଲେ ଭକ୍ତମାନେ ତାହା ଶୁଣି ନ ଥିଲେ ବୋଲି କୁହାଯାଉଛି।
ବଳଭଦ୍ରଙ୍କ ରଥର ଅବସ୍ଥା ଏପରି ହେବା ଦ୍ବାରା ରଥଟଣା ବେଶ ବିଳମ୍ବ ଘଟିଥିଲା। ସୁଭଦ୍ରାଙ୍କ ରଥ ଆସିବାରେ ବିଳମ୍ବ ଘଟିଲା। ଏପରି ଜଗନ୍ନାଥଙ୍କ ରଥ ମଧ୍ୟ ସଂଧ୍ୟା ପର୍ଯ୍ୟନ୍ତ ଇଞ୍ଚିଏ ପର୍ଯ୍ୟନ୍ତ ମଧ୍ୟ ଘୁଞ୍ଚି ନ ଥିଲା। ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ରଥଯାତ୍ରା ଦିନ ଯଦି ରଥ ନ ଗଡିବ ତାହା ପରଂପରା ଭଙ୍ଗ ହେବ ବୋଲି କୁହାଗଲା। ଫଳରେ ରାତି ସାଢେ ସାତଟା ବେଳକୁ ନନ୍ଦିଘୋଷ ରଥ ଟଣା ହୋଇଥିଲା।