ହେ ପ୍ରଭୃ ଜଗନ୍ନାଥ, ସମସ୍ତଙ୍କୁ କ୍ଷମା କରିଦିଅ……ଏମିତି କାହିଁକି କହିଲେ ନବୀନ ପଟ୍ଟନାୟକ

Published: Jun 28, 2025, 7:31 pm IST
naveen

ଭୁବନେଶ୍ବର: ଗତକାଲି ରଥଯାତ୍ରାରେ ଯେପରି ବିଭ୍ରାଟ ହେଲା ତାହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ। ସେ ବର୍ତ୍ତମାନ ମୁମ୍ବାଇର ଏକ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ହେଲେ ଗତକାଲି ନନ୍ଦିଘୋଷ ରଥଟଣାକୁ ନେଇ ସେ କ୍ଷୋଭ କରିଛନ୍ତି।

ନବୀନ ତାଙ୍କ ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି ଯେ, “ନନ୍ଦିଘୋଷ ରଥ ଟଣାରେ ଅଯଥା ବିଳମ୍ବ ପାଇଁ ପ୍ରଶାସନକୁ ଦୋଷାରୋପ କିମ୍ବା ଅଙ୍ଗୁଳି ନିର୍ଦ୍ଦେଶ କରିବାକୁ ଆମେ ଚାହୁଁନାହୁଁ। କିନ୍ତୁ ଆମ ରାଜ୍ୟର ତଥା କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ଏହି ପବିତ୍ର ଉତ୍ସବରେ ଯେଉଁ ଅଘଟଣ ଘଟିଛି, ତାହା ପ୍ରତି ଆମର ଗଭୀର ଚିନ୍ତା ଓ ଦୁଃଖ ପ୍ରକାଶ ନ’କରି ରହି ହେଉନାହିଁ।”

ସେ ଆହୁରି କହିଛନ୍ତି ଯେ, “ଗତ ବର୍ଷ ଆଡ଼ପ ପହଣ୍ଡି ବିଜେ ସମୟରେ ଭଗବାନ ବଳଭଦ୍ର ପଡ଼ିଯିବା ଘଟଣାକୁ ଏଯାଏଁ ଆମେ କେହି ଭୁଲି ପାରୁନାହୁଁ; ଏହା ଏପରି ଏକ ମୁହୂର୍ତ୍ତ ଥିଲା ଯାହା ଅଗଣିତ ଶ୍ରଦ୍ଧାଳୁଙ୍କୁ ମର୍ମାହତ କରିଥିଲା। ଏବଂ ଏବର୍ଷ, ସମସ୍ତେ ଦେଖିଲେ ନନ୍ଦିଘୋଷ ରଥ ସିଂହଦ୍ୱାର ସାମ୍ନାରେ ସନ୍ଧ୍ୟା ୭:୪୫ ପର୍ଯ୍ୟନ୍ତ ଅଟକି ରହିଥିଲା ଏବଂ ଦିନ ଶେଷ ହେବା ପୂର୍ବରୁ ମାତ୍ର କିଛି ମିଟର୍ ଗଡ଼େଇ ଦିଆଗଲା।”

ସେ ପୁଣି କହିଛନ୍ତି ଯେ, “ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ଏହି ଅନନ୍ୟ ଉତ୍ସବ ଦେଖିବାକୁ ଆସିଥିବା ଲକ୍ଷ ଲକ୍ଷ ଭକ୍ତଙ୍କୁ ଏହା ସମ୍ପୂର୍ଣ୍ଣ ନିରାଶ ଓ ହତାଶ କରିଛି। ଭିଡ଼ ନିୟନ୍ତ୍ରଣରେ ଅପାରଗତା ହେତୁ ଶହ ଶହ ଭକ୍ତ ଆହତ ହୋଇଛନ୍ତି। ଆମେ କେବଳ ଏତିକି ପ୍ରାର୍ଥନା କରିପାରିବା: “ରଥଯାତ୍ରାର ଏହି ଦିବ୍ୟ ଉତ୍ସବରେ ହୋଇଥିବା ଭୟଙ୍କର ବିଭ୍ରାଟ ତଥା ବିଶୃଙ୍ଖଳା ପାଇଁ ଦାୟୀ ସମସ୍ତଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥ କ୍ଷମା କରନ୍ତୁ।

ମୁଁ ଆଶା କରିବି ଏହି ଘଟଣା ସରକାରରେ ଥିବା ସମସ୍ତଙ୍କ ମନରେ ଗଭୀର ଆତ୍ମଚିନ୍ତନ ଆଣିବ।” ନବୀନ ଉଲ୍ଲେଖ କରିଛନ୍ତି।

Related posts