ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ଅଞ୍ଚଳର ତିନି ଗୋଟି ମନ୍ଦିରରୁ ସିରିଜ ଚୋରି ହୋଇଥିବା ଅଭିଯୋଗ ହୋଇଛି।
ଅଭିଯୋଗ ମୁତାବକ ଗତକାଲି ସକାଳେ ଉକ୍ତ ଅଞ୍ଚଳର ହନୁମାନ ମନ୍ଦିର, ମା’ ରାମଚଣ୍ଡୀ ମନ୍ଦିର ଏବଂ ମା’ ଆଖଣ୍ଡଳମଣିଙ୍କ ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ଏବଂ ଦାନବାକ୍ସ ଚୋରି ହୋଇଥିବାର ଅଞ୍ଚଳବାସୀ ଜାଣିବାକୁ ପାଇଥିଲେ। ଏ ନେଇ ନାଚୁଣୀ ଥାନାରେ ଅଭିଯୋଗ କଲାପରେ ପୋଲିସ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ହନୁମାନ ମନ୍ଦିର ଓ ମା’ ରାମଚଣ୍ଡୀଙ୍କ ମନ୍ଦିରର ମୁଖ୍ୟ ଫାଟକର ତାଲା ଭଙ୍ଗାଥିବାରୁ ପୂଜକ ଗ୍ରାମବାସୀଙ୍କୁ ଜଣାଇଥିଲେ। ଅନୁରୂପ ଭାବେ ଉକ୍ତ ଦୁଇ ମନ୍ଦିରରୁ ଚୋରି କରିବା ପରେ ସମାନ ଢଙ୍ଗରେ ମା’ ଆଖଣ୍ଡଳମଣିଙ୍କ ମନ୍ଦିରରେ ଥିବା ଦାନବାକ୍ସଟି ମଧ୍ୟ ଲୁଟି ନେଇଥିଲେ ଲୁଟେରା।
ତେବେ ଖୋର୍ଦ୍ଧା ଏସପି ଙ୍କ ନିର୍ଦ୍ଦେଶକ୍ରମେ ଏବଂ ବାଲୁଗାଁ ଏସଡିପିଓଙ୍କ ତତ୍ୱାବଧାନରେ ନାଚୁଣୀ ପୋଲିସ ଏକାଧିକ ଟିମ ଗଠନ କରି ବିଭିନ୍ନ ଦିଗରେ ତଦନ୍ତ ଜାରି ରଖିଛି। ସେହିଭଳି ଆଜି ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିବ ବୋଲି ଥାନା ଆଇଆଇସି ସୂଚନା ଦେଇଛନ୍ତି।