ଭୁବନେଶ୍ବର: ଫକୀମମୋହନ କଲେଜର ଛାତ୍ରୀଙ୍କ ଆତ୍ମହତ୍ୟା ଏବଂ ପରେ ମୃତ୍ୟୁ ଘଟଣାକୁ ନେଇ ସାରା ରାଜ୍ୟରେ ରାଜନୈତିକ ଗରମ ଦେଖାଦେଇଛି। କଂଗ୍ରେସ ଆସନ୍ତା 17 ତାରିଖରେ ଓଡିଶା ବନ୍ଦ ଡାକରା ଦେଇଥିବା ବେଳେ ବିଜେଡି ମଧ୍ୟ କଲେଜ ସମ୍ମୁଖରେ ବିକ୍ଷୋଭ କରିବ ବୋଲି ଘୋଷଣା କରିଛି। ତେବେ ଏ ନେଇ ଆଜି ଶଙ୍ଖ ଭବନରେ ବିଜେଡି ଏକ ସାମ୍ବାଦିକ ସମ୍ମିଳନୀ କରି ସହାୟତା ରାଶି ବୃଦ୍ଧି ଦାବୀ କରିଛି।
ଏହି ସାମ୍ବାଦିକ ସମ୍ମିଳନୀରେ ଦଳ ତରଫରୁ ପିଡିତାଙ୍କ ପରିବାରକୁ କୋଡିଏ ଲକ୍ଷ ନୁହେଁ ଦୁଇ କୋଟି ଟଙ୍କା ଦିଆଯାଉ ବୋଲି ଦାବୀ କରିଛି। ଏଥିସହିତ ଦଳ କହିଛି ଯେ, ରାଜ୍ୟରେ ବର୍ତ୍ତମାନ ଅରାଜକତା ଦେଖାଦେଇଛି। ମୁଖ୍ୟମନ୍ତ୍ରୀ ସମ୍ବଲପୁର ଯାଇ ଅଭିଯୋଗ ଶୁଣୁଛନ୍ତି। ହେଲେ ତାଙ୍କ ପାଖକୁ ଗୋଟିଏ ଝିଅ ଅଭିଯୋଗ କରିବା ପରେ ସମସ୍ତେ ଚୁପ ବସିଛନ୍ତି।
ସେହିପରି ଦଳର ଅଭିଯୋଗ ଯେ, ଗତକାଲି ରାତିରେ ବିଜେପିର ନେତାମାନେ ଝିଅର ଶବକୁ ଲୁଚେଇ ପୁରୀରେ ସତ୍କାର କରିବାକୁ ଉଦ୍ୟମ କରୁଥିଲେ। ହେଲେ ଆମେ ବିରୋଧ କରିବା ପରେ ତାହାର ଶବ ଗାଁରେ ସତ୍କାର କରାଯାଇଛି। ତେବେ ଏହାକୁ ନେଇ ଯେଉଁମାନେ ଦାବୀ କରୁଥିଲେ ସେମାନଙ୍କୁ ପୋଲିସ ଗରିଫ କରିଛି। ଏହା ବିରୋଧରେ ବିଜେଡି ସବୁ କଲେଜ ଓ ବିଶ୍ବବିଦ୍ୟାଳୟ ଆଗରେ ବିକ୍ଷୋଭ କରିବ ବୋଲି ବିଜେଡି ବିଧାୟକ ବ୍ୟୋମକେଶ ରାୟ କହିଛନ୍ତି।
ସେହିପରି ବିଧାୟକ ଦେବୀ ରଂଜନ ତ୍ରିପାଠୀ କହିଛନ୍ତି ଯେ, ମୃତ ଛାତ୍ରୀଙ୍କ ପରିବାରକୁ 2 କୋଟି ଟଙ୍କା ସହାୟତା ଦିଆଯାଉ। ଏଥିସହିତ ଏହି ଘଟଣା ପାଇଁ ଦାୟୀ ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ ଏବଂ ବାଲେଶ୍ବର ସାଂସଦ ଇସ୍ତଫା ଦିଅନ୍ତୁ ବୋଲି ସେ ଦାବୀ କରିଛନ୍ତି।
ଅନ୍ୟପଟେ ବିଜେଡି ନେତ୍ରୀ ଇପସିତା ସାହୁ ମଧ୍ୟ ଅନୂରୁପ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ଛାତ୍ରୀ ର ଆତ୍ମହତ୍ୟା ନା ମୃତ୍ୟୁ ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଯେଉଁ ପ୍ରଫେସର ବିରୋଧରେ ଛାତ୍ରୀ ଜଣକ ଅଭିଯୋଗ କରିଥିଲେ, ତାଙ୍କୁ ଆଣି ଏବିଭିପି ସମ୍ମାନିତ କରିଛି। ତେଣୁ ଏହି ଘଟଣାରେ ଏବିଭିପିର ଏକ ଗୋଷ୍ଠୀ ସାମିଲ ଅଛନ୍ତି ବୋଲି ସ୍ପଷ୍ଟ ହୋଇଛି। ତାଙ୍କୁ ତୁରନ୍ତ ଗିରଫ କରାଯାଉ ବୋଲି ସେ ଦାବୀ କରିଛନ୍ତି।