ଭୁବନେଶ୍ୱର: ଆମ ଶିଶୁମାନଙ୍କୁ ସୁସ୍ଥ ଭବିଷ୍ୟତ ପ୍ରଦାନ କରିବା ପାଇଁ ସ୍ତନ୍ୟପାନ ସମର୍ଥନକୁ ସୁଦୃଢ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଅଗଷ୍ଟ ୧ ରୁ ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଳନ ହେଉଥିବା ବିଶ୍ୱ ସ୍ତନ୍ୟପାନ ସପ୍ତାହ ଅବସରରେ, ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ୟୁନିସେଫ୍ ସହଭାଗିତାରେ ଏକ ସୁସ୍ଥ ପିଢ଼ି ଗଠନ ପାଇଁ ନିଜର ପ୍ରତିବଦ୍ଧତାକୁ ପୁନର୍ବାର ଦୃଢ଼ କରିଛି।
ଏହି ଉପଲକ୍ଷେ ଗୁରୁବାର ଦିନ ବିଭାଗର ସମ୍ମିଳନୀ କକ୍ଷରେ ଏକ ଗଣମାଧ୍ୟମ କର୍ମଶାଳା ଆୟୋଜିତ ହୋଇଥିଲା। ଏହି କର୍ମଶାଳାରେ ସ୍ତନ୍ୟପାନର ଗୁରୁତ୍ୱ ଉପରେ ପ୍ରାଧାନ୍ୟ ଦେଇ ସାରା ଓଡ଼ିଶାରେ ସ୍ତନ୍ୟପାନ ପାଇଁ ଉନ୍ନତ ସହାୟକ ବ୍ୟବସ୍ଥା ର ଆହ୍ୱାନ ଦିଆଯାଇଥିଲା। ଏହି ବର୍ଷର ବିଷୟବସ୍ତୁ, ‘ସ୍ତନ୍ୟପାନକୁ ପ୍ରାଥମିକତା ଦିଅନ୍ତୁ: ନିରନ୍ତର ସହାୟତା ପ୍ରଦାନର ବ୍ୟବସ୍ଥା କରନ୍ତୁ/ ସ୍ତନ୍ୟପାନରେ ନିବେଶ, ଭବିଷ୍ୟତ ପାଇଁ ନିବେଶ’ ଶିଶୁଙ୍କୁ ଜୀବନର ସର୍ବୋତ୍ତମ ଆରମ୍ଭ ପ୍ରଦାନ କରିବା ପାଇଁ ପରିବାର, ସାମାଜିକ ଗୋଷ୍ଠୀ ଏବଂ ନୀତିନିର୍ମାତାଙ୍କ ମିଳିତ ପ୍ରୟାସର ଆବଶ୍ୟକତା ଉପରେ ଆଲୋକପାତ କରିଥିଲା।
ଏହି ବର୍ଷର ବିଷୟବସ୍ତୁ ‘ସ୍ତନ୍ୟପାନରେ ନିବେଶ, ଭବିଷ୍ୟତ ପାଇଁ ନିବେଶ’ ଉପରେ ଗୁରୁତ୍ୱ ଦେଇ ପରିବାର କଲ୍ୟାଣ ନିର୍ଦ୍ଦେଶିକା ଡ. ରାଜ୍ୟଶ୍ରୀ ପଟ୍ଟନାୟକ କହିଥିଲେ, “ଆମ ବିଭାଗ ସକ୍ରିୟ ଭାବରେ ଶକ୍ତିଶାଳୀ ପରାମର୍ଶ ସେବା ଏବଂ ସାମୁଦାୟିକ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ମା ମାନଙ୍କ ପାଇଁ ଏକ ସହାୟକ ପରିବେଶ ସୃଷ୍ଟି କରୁଛି। ଏହା ଦ୍ୱାରା ସେମାନେ ସ୍ତନ୍ୟପାନ ଜାରି ରଥିବା ପାଇଁ ସଠିକ୍ ସୂଚନା, ସମୟୋପଯୋଗୀ ମାର୍ଗଦର୍ଶନ ଏବଂ ଭାବନାତ୍ମକ ସମର୍ଥନ ପାଇବେ।”
ସେ ଆହୁରି ମଧ୍ୟ କହିଛନ୍ତି, “ଆଜି ସ୍ତନ୍ୟପାନକୁ ପ୍ରାଥମିକତା ଦେବା କେବଳ ସ୍ୱାସ୍ଥ୍ୟ ପାଇଁ ନିଷ୍ପତ୍ତି ନୁହେଁ; ଏହା ଆମ ଶିଶୁମାନଙ୍କ ଏବଂ ଆଗାମୀ ପିଢ଼ିଙ୍କ ପାଇଁ ଏକ ସୁସ୍ଥ ଓ ସୁଦୃଢ଼ ଭବିଷ୍ୟତ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ନିବେଶ।”
ଗଣମାଧ୍ୟମକୁ ସମ୍ବୋଧିତ କରି ୟୁନିସେଫ୍ ଓଡ଼ିଶା ପୋଷଣ ବିଶେଷଜ୍ଞ ସୌରଭ ଭଟ୍ଟାଚାର୍ଯ୍ୟ ବିଶ୍ୱ ଓ ରାଜ୍ୟ ସ୍ତରରେ ସ୍ଥାୟୀ ସ୍ତନ୍ୟପାନ ସହାୟତା ବ୍ୟବସ୍ଥା ସୃଷ୍ଟି ପାଇଁ ଆବଶ୍ୟକ ରଣନୀତି ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ, “ସ୍ତନ୍ୟପାନ କେବଳ ବ୍ୟକ୍ତିଗତ ପସନ୍ଦ ନୁହେଁ; ଏହା ଏକ ସାମାଜିକ ଦାୟିତ୍ୱ। ମା ମାନଙ୍କ ଅସୁବିଧାକୁ ଦୂର କରିବା ଏବଂ ସେମାନଙ୍କ ଶିଶୁମାନଙ୍କୁ ସର୍ବୋତ୍ତମ ପୋଷଣ ଦେବା ପାଇଁ, ମାତୃତ୍ୱ ସୁରକ୍ଷା ଠାରୁ ଆରମ୍ଭ କରି ଉପଯୁକ୍ତ ମାର୍ଗଦର୍ଶନ ଏବଂ ସାମୁଦାୟିକ ସଚେତନତା ପର୍ଯ୍ୟନ୍ତ ଦୃଢ ସମର୍ଥନ ବ୍ୟବସ୍ଥା ଆବଶ୍ୟକ ରହିଛି।”
ଓଡ଼ିଶା ସ୍ତନ୍ୟପାନ ଅଭ୍ୟାସରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି। ଏନ୍ଏଫ୍ଏଚ୍ଏସ୍-୫ ଅନୁଯାୟୀ, ଓଡ଼ିଶାରେ ୬୮.୫% ଶିଶୁ ଜନ୍ମର ପ୍ରଥମ ଘଣ୍ଟା ମଧ୍ୟରେ ସ୍ତନ୍ୟପାନ କରନ୍ତି, ଯାହା ଜାତୀୟ ହାର ୪୧.୮% ଅପେକ୍ଷା ବହୁତ ଅଧିକ । ସେହିପରି, ରାଜ୍ୟରେ ୬ ମାସରୁ କମ୍ ବୟସର ୭୨.୯% ଶିଶୁ ସ୍ୱତନ୍ତ୍ର ସ୍ତନ୍ୟପାନ କରନ୍ତି, ଯାହା ଜାତୀୟ ହାର ୬୩.୭% ଅପେକ୍ଷା ଅଧିକ।
କର୍ମଶାଳାରେ ଶିଶୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଡ. ଆଦିତ୍ୟ ମହାପାତ୍ର, ମା ଓ ଶିଶୁ ଉଭୟଙ୍କ ପାଇଁ ସ୍ତନ୍ୟପାନର ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ। ସେ କହିଥିଲେ, “ସ୍ତନ୍ୟପାନ ଶିଶୁ ପାଇଁ ପ୍ରଥମ ଟିକା ଭାବେ କାର୍ଯ୍ୟ କରେ, ଯାହା ସଂକ୍ରମଣରୁ ସୁରକ୍ଷା ଦେଇ ଶିଶୁର ସୁସ୍ଥ ବିକାଶ ସୁନିଶ୍ଚିତ କରେ। ଏହା ମା ମାନଙ୍କୁ ମଧ୍ୟ ନିର୍ଦ୍ଦିଷ୍ଟ ରୋଗରୁ ସୁରକ୍ଷା ପ୍ରଦାନ କରେ। ଆମର ଲକ୍ଷ୍ୟ ହେଉଛି ନିରନ୍ତର ସଚେତନତା ଏବଂ ସ୍ତନ୍ୟପାନକୁ ସାଧାରଣ କରୁଥିବା ଏକ ପରିବେଶ ଗଠନ କରିବା।”
ପୋଷଣ ଯୁଗ୍ମ ନିର୍ଦ୍ଦେଶକ ଡ଼ଃ ସ୍ମୃତିଜିତ୍ ପଟ୍ଟନାୟକ ବିଭାଗର ବ୍ୟାପକ ଆଭିମୁଖ୍ୟ ଉପରେ ଆଲୋକପାତ କରି କହିଥିଲେ, “ଆମେ ନିୟମିତ ଭାବରେ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀଙ୍କୁ ତାଲିମ ଦେଉଛୁ ଏବଂ ଡାକ୍ତରଖାନାଗୁଡିକରେ ବିଏଫ୍ଏଚ୍ଆଇ ମୂଲ୍ୟାଙ୍କନକୁ ପ୍ରୋତ୍ସାହିତ କରି ଶିଶୁ କ୍ଷୀର ବିକଳ୍ପ ବ୍ୟବହାରକୁ ନିରୁତ୍ସାହିତ କରୁଛୁ। ଆମେ ମଧ୍ୟ ସ୍ତନ୍ୟପାନ କରୁଥିବା ମା ମାନଙ୍କୁ ସଂଗଠିତ କରି ସହାୟତା ପ୍ରଦାନ କରିବା ପାଇଁ ମା’ ସମର୍ଥନ ଗୋଷ୍ଠୀ ଗଠନ କରିଛୁ।”
କର୍ମଶାଳାଟି ପୋଷଣ ଯୁଗ୍ମ ନିର୍ଦ୍ଦେଶକଙ୍କ ଧନ୍ୟବାଦ ଜ୍ଞାପନ ସହିତ ସମାପ୍ତ ହୋଇଥିଲା, ଏହାପରେ ଏକ ପ୍ରଶ୍ନୋଉତ୍ତର କାର୍ଯ୍ୟକ୍ରମ ହୋଇଥିଲା, ଯେଉଁଠାରେ ଗଣମାଧ୍ୟମ ପ୍ରଭାବଶାଳୀ ସାର୍ବଜନୀନ ବାର୍ତ୍ତା ଏବଂ ସଚେତନତା ପାଇଁ ଉପଯୁକ୍ତ ରଣନୀତି ଉପରେ ଆଲୋଚନା କରିଥିଲେ।