ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭବନରେ ଭେଟିଥିଲେ। ଏହି ସୌଜନ୍ୟମୂଳକ ସାକ୍ଷାତ ସମୟରେ, ଦୁଇ ନେତାଙ୍କ ମଧ୍ୟରେ ବେଶ କିଛି ସମୟ ଧରି ଆଲୋଚନା କରିଥିଲେ। ତେବେ କଣ ଆଲୋଚନା ହେଲା ସେ ବିଷୟରେ ଅଧିକ ସୂଚନା ପ୍ରଦାନ କରାଯାଇ ନାହିଁ।
ରବିବାର ରାଷ୍ଟ୍ରପତିଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସ ରୁ ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମଧ୍ୟରେ ହୋଇଥିବା ସାକ୍ଷାତର ଏକ ଫଟୋ ମଧ୍ୟ ସେୟାର କରାଯାଇଛି। ଯେଉଁଥିରେ ଉଭୟ ଆଲୋଚନା କରୁଥିବାର ଦେଖାଯାଇଛି।
ରାଷ୍ଟ୍ରପତିଙ୍କ ସରକାରୀ ଏକ୍ସ ହ୍ୟାଣ୍ଡେଲରୁ ଫଟୋ ପୋଷ୍ଟ କରି ଲେଖାଯାଇଛି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି।” ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତିଙ୍କ ମଧ୍ୟରେ ଏହି ସାକ୍ଷାତ ଏପରି ସମୟରେ ହେଉଛି ଯେତେବେଳେ ଭାରତର ପରବର୍ତ୍ତୀ ଉପରାଷ୍ଟ୍ରପତିଙ୍କ ନିର୍ବାଚନ ପାଇଁ ପ୍ରକ୍ରିୟା ଆନୁଷ୍ଠାନିକ ଭାବରେ ଆରମ୍ଭ ହୋଇଛି।
ନିର୍ବାଚନ କମିଶନ ଅଗଷ୍ଟ ୧ ତାରିଖରେ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା କରିଛନ୍ତି। ନିର୍ବାଚନ କମିଶନଙ୍କ ଅନୁଯାୟୀ, ଉପରାଷ୍ଟ୍ରପତି ପଦ ପାଇଁ ଭୋଟ୍ ସେପ୍ଟେମ୍ବର ୯ ତାରିଖରେ ଅନୁଷ୍ଠିତ ହେବ। ନିର୍ବାଚନ କମିଶନଙ୍କ ଦ୍ୱାରା ପ୍ରକାଶିତ କାର୍ଯ୍ୟସୂଚୀ ଅନୁଯାୟୀ, ନିର୍ବାଚନ ପାଇଁ ସରକାରୀ ବିଜ୍ଞପ୍ତି ଅଗଷ୍ଟ ୭ ତାରିଖରେ ଜାରି କରାଯିବ। ଏହା ପରେ, ଆଗ୍ରହୀ ପ୍ରାର୍ଥୀମାନେ ଅଗଷ୍ଟ ୨୧ ପର୍ଯ୍ୟନ୍ତ ସେମାନଙ୍କର ନାମାଙ୍କନ ଦାଖଲ କରିପାରିବେ। ୨୨ ଅଗଷ୍ଟରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ।
ପୂର୍ବରୁ, ଜୁଲାଇ ୧୬ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଥିଲେ। ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଏହି ବୈଠକ ହୋଇଥିଲା। ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ସରକାରୀ ଏକ୍ସ ହ୍ୟାଣ୍ଡେଲରେ ଏକ ପୋଷ୍ଟ କରି ଫଟୋ ସେୟାର କରିଛି। ଏହା ବ୍ୟତୀତ, ମେ ୭ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ତାଙ୍କୁ ‘ଅପରେସନ୍ ସିନ୍ଦୂର’ ବିଷୟରେ ଅବଗତ କରାଇଥିଲେ। ଏହି ଅପରେସନରେ, ଭାରତୀୟ ସଶସ୍ତ୍ର ବାହିନୀ ପାକିସ୍ତାନ ଏବଂ ପାକ୍-ଅଧିକୃତ କାଶ୍ମୀର (PoK)ରେ ଅନେକ ଆତଙ୍କବାଦୀ ଆଡ୍ଡାକୁ ନଷ୍ଟ କରିଦେଇଥିଲା ବୋଲି ଅବଗତ କରାଇଥିଲେ।
ସେହିପରି ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଛନ୍ତି। ଉଭୟ ଗୋଟିଏ ଦିନରେ ଭିନ୍ନ ଭିନ୍ନ ସମୟରେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବା ନେଇ ଚର୍ଚ୍ଚା ଚାଲିଛି।