ଖୋର୍ଦ୍ଧା: ଖୋର୍ଦ୍ଧା ପୋଲିସକୁ ମିଳିଛି ସଫଳତା। ଜଙ୍କିଆ ଥାନା ଛଣଗିରି ଅଞ୍ଚଳର ଜନୈକ ସୁନା ଦୋକାନରୁ ଲୁଟ ଘଟଣାରେ ଆଉ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ଏ ନେଇ ଖୋର୍ଦ୍ଧା ଏସପି ବିବେକାନନ୍ଦ ଶର୍ମା ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଆଜି ସୂଚନା ଦେଇଛନ୍ତି। ଅଭିଯୁକ୍ତ ଦ୍ବୟ ପୁରୀ ଜିଲ୍ଲା କଣାସ ଥାନା ଏବଂ କଟକ ସହରାଞ୍ଚଳ ଥାନା ଅଞ୍ଚଳର ବୋଲି ଜଣାପଡିଛି । ସେମାନଙ୍କ ଠାରୁ ୧୦୧୩ ଗ୍ରାମ ସୁନା ଏବଂ ୨୨୩୧ ଗ୍ରାମ ରୁପା ଜବତ ହୋଇଛି।
ସୂଚନା ଥାଉକି ଛଣଗିରି ସୁନା ଦୋକାନରୁ ଲୁଟ ଘଟଣାରେ ସାମିଲ ଥିବା ସମୁଦାୟ ୧୦ ଅଭିଯୁକ୍ତଙ୍କ ମଧ୍ୟରୁ ୮ ଅଭିଯୁକ୍ତଙ୍କ ଚି଼ହ୍ନଟ ହୋଇଛି ଏବଂ ପୂର୍ବରୁ ୪ ଅଭିଯୁକ୍ତଙ୍କ ସମେତ ଜଣେ କ୍ରେତା ଗିରଫ ହୋଇଛନ୍ତି। ସେମାନଙ୍କ ନିକଟରୁ ପୁର୍ବରୁ ୯୦୦ ଗ୍ରାମ ୬୫୦ ମିଲିଗ୍ରାମ ସୁନା ଓ ୨୩୬୩ ଗ୍ରାମ ୯୪୦ ମିଲିଗ୍ରାମ ରୁପା ଜବତ ହୋଇଛି। କେନ୍ଦ୍ରାଞ୍ଚଳ ଡ଼ିଆଇଜି ସତ୍ୟଜିତ ନାୟକ, ଖୋର୍ଦ୍ଧା ଏସପି ବିବେକାନନ୍ଦ ଶର୍ମା ଏବଂ ଅତିରିକ୍ତ ଏସପି ଶ୍ରୀନିବାସ ମହାନ୍ତି ଙ୍କ ତତ୍ୱାବଧାନରେ ଖୋର୍ଦ୍ଧା ଏସଡିପିଓ ନିହାର ରଞ୍ଜନ ପ୍ରଧାନ, ବାଲୁଗାଁ ଏସଡିପିଓ ସଞ୍ଜୟ କୁମାର ପଟ୍ଟନାୟକ, ଜଙ୍କିଆ ଆଇଆଇସି ସୁଶାନ୍ତ କୁମାର ବେହେରା, ସଦର ଆଇଆଇସି କାହ୍ନୁ ଚରଣ ସ୍ୱାଇଁ, ନିରାକାରପୁର ଆଇଆଇସି ବିଶ୍ୱଜିତ ରାଉତରାୟ, ବାଲୁଗାଁ ଆଇଆଇସି ଜୟପ୍ରକାଶ ପରିଡ଼ା, ବାଣପୁର ଆଇଆଇସି ରମେଶ କୁମାର ଦେବତା, ଟାଙ୍ଗୀ ଆଇଆଇସି ରବୀନ୍ଦ୍ର ଭୁଜବଳ ଏବଂ ପୁରୀ ଜିଲ୍ଲା, ଖୋର୍ଦ୍ଧା ଜିଲ୍ଲା ଏବଂ କଟକ ସହରାଞ୍ଚଳ ପୋଲିସର ସ୍ୱତନ୍ତ୍ର ସ୍କ୍ୱାର୍ଡ ଉକ୍ତ ଚଢ଼ାଉରେ ସାମିଲ ଥିଲେ।