ଭୁବନେଶ୍ଵର: ଅକ୍ଟୋବର ୭ ତାରିଖରୁ ହବିଷ ବ୍ରତ ଆରମ୍ଭ ହେବ। ପୁରୀରେ ହବିଷ ପାଇଁ ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅନଲାଇନ ମାଧ୍ୟମରେ ପଞ୍ଜିକରଣ କରାଯିବ। ହବିଷ୍ୟାଳୀମାନଙ୍କୁ ୪ ଗୋଟି ରହଣି କେନ୍ଦ୍ର ଯଥା ବୃନ୍ଦାବତୀ ନିବାସ, ବଗଲା ଧର୍ମଶାଳା, ମୋଚିସାହି କଲ୍ୟାଣ ମଣ୍ଡପ ଓ ରେଳବାଇ ଆଶ୍ରୟସ୍ଥଳରେ ରଖାଯିବ ବୋଲି ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ସୂଚନା ଦେଇଛନ୍ତି। ପୁରୀ ସର୍କିଟ ହାଉସଠାରେ ହବିଷ ବ୍ରତ କାର୍ଯ୍ୟର ସମୀକ୍ଷା ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ପରିଡା କହିଛନ୍ତି, ଶ୍ରୀକ୍ଷେତ୍ରରେ ରହିବାକୁ ଆସୁଥିବା ହବିଷ୍ୟାଳିଙ୍କ ସୁବିଧା ପାଇଁ ସବୁ ବ୍ୟବସ୍ଥା କରାଯିବ।
ସୁରକ୍ଷିତ ରହଣି, ପ୍ରବଚନ, ଭଜନ, ପାଲା ଇତ୍ୟାଦି ବ୍ୟବସ୍ଥା ସହ ଚିକିତ୍ସା, ପରିମଳ, ପାନୀୟ ଜଳ, ସ୍ୱେଚ୍ଛାସେବୀ ସହଯୋଗର ମଧ୍ୟ ବ୍ୟବସ୍ଥା କରାଯିବ। ଏଥିପାଇଁ ସମ୍ପୃକ୍ତ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।