CM in Nuapada: ନୂଆପଡା ଉପନିର୍ବାଚନର ବିଜେପି ମଙ୍ଗ ଆଜି ଧରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି କୋମନା ବ୍ଲକରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ବିରାଟ ପଟୁଆରରେ ପାଛୋଟି ନିଆଯାଇଥିଲା। କୋମନା ବ୍ଲକ ଉଦ୍ୟାନ ବନ୍ଧ ଭୀମରାଓ ଛକରୁ କୋମନା ବ୍ଲକ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରୋଡ୍ ଶୋ’ରେ ଯାଇଥିଲେ । ବାଟରେ ସ୍ଥାନେ ସ୍ଥାନେ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ କରାଯାଉଥିବା ବେଳେ ମହିଳା ମାନେ ଫୁଲ ଚନ୍ଦନ ଦେଉଥିବା ଦେଖିବାକୁ ମିଳିଥିଲା ।
ମୁଖ୍ୟମନ୍ତ୍ରୀଙ୍କ ସହ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ, ବିଜେପି ସଭାପତି ମନମୋହନ ସାମଲ, ବରିଷ୍ଠ ବିଜେପି ନେତା ବସନ୍ତ ପଣ୍ଡା, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ରୋଡ୍ ଶୋ’ରେ ସାମିଲ ହୋଇଥିଲେ । ରୋଡ୍ ଶୋ’ ପରେ ମୁଖ୍ୟମନ୍ତ୍ରୀ ଏକ ଜନସଭାକୁ ସମ୍ବୋଧିତ କରି ବିଜେଡିକୁ ଏବଂ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରିଥିଲେ। ନିର୍ବାଚନ ପ୍ରଚାର ବେଳେ ଜୟ ଢୋଲକିଆଙ୍କୁ ନବୀନ କହିଥିବା ବେଇମାନ ର ଅର୍ଥ ବୁଝାଇ ଦେଇଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବିରୋଧୀ ଦଳର ନେତାଙ୍କୁ କିଏ ସ୍କ୍ରିପ୍ଟ ଲେଖିକି ଦେଇଥିଲା, ସେ ବୋଧହୁଏ କିଛି ଜାଣି ନାହାଁନ୍ତି। ବିଜେପୁର ଉପନିର୍ବାଚନରେ ନବୀନ କଂଗ୍ରେସ ପ୍ରାର୍ଥୀଙ୍କୁ ନେଇଯାଇଥିଲେ। କାକଟପୁରରେ ବିଜେପି ପ୍ରାର୍ଥୀଙ୍କୁ ନବୀନ ନେଇଯାଇଥିଲେ। ନର୍ଲା ବିଧାନସଭାରେ କଂଗ୍ରେସର ବିରୋଧୀ ଦଳର ନେତାଙ୍କୁ ନେଇଯାଇଥିଲେ। ଏହା କଣ ବେଇମାନୀ ନୁହେଁ କି ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଥିଲେ।
ସେତିକି ନୁହେଁ ଦୀଲ୍ଲିପ ରାୟ, ବିଜୟ ମହାପାତ୍ର, ନଳିନୀ ମହାନ୍ତି ପରି ନେତାଙ୍କୁ କିଏ ବେଇମାନୀ କରିଥିଲା ବୋଲି ଭରପୁର ଜନସମାବେସକୁ ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଥିଲେ। ଏହାର ଜବାବ ନୂଆପଡାବାସୀ ନିଶ୍ଚିତ ଦେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ସେ ଆହୁରି କହିଥିଲେ, ବିଜେଡି ବଡ ଦଳ ବୋଲି ନିଜକୁ ପ୍ରଚାର କରୁଛି। ହେଲେ ନୂଆପଡାରୁ କଣ ତାଙ୍କୁ ପ୍ରାର୍ଥୀ ମିଳିଲା ନାହିଁ କି ବୋଲି ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଥିଲେ। ବିଜେଡିର ପ୍ରାର୍ଥୀ ନ ମିଳିବାରୁ ବରଗଡରୁ ଜଣଙ୍କୁ ଆଣି ଏଠାରେ ପ୍ରାର୍ଥୀ କରିଛନ୍ତି।ଏଠାରେ କଣ ସେମାନଙ୍କୁ ଯୋଗ୍ୟ ପ୍ରାର୍ଥୀ ମିଳିଲା ନାହିଁ କି, ଏଠାକାର ନେତା କଣ ଏତେ ଅଯୋଗ୍ୟ ବୋଲି ସେ ପ୍ରଶ୍ନ କରିଥିଲେ। ଏହି ଉପନିର୍ବାଚନରେ ନୂଆପଡାବାସୀ ଉଚିତ ଜବାବ ବୋଲି ମୁଖ୍ୟମନ୍ତ୍ରୀ ଦୃଢତାର ସହିତ କହିଛନ୍ତି।



