ଭୁବନେଶ୍ବର: କିଛିଦିନର ନିରବତା ପରେ ଏବେ ପୁଣି ଥରେ ଚେଇଁ ଉଠିଛନ୍ତି ବିଜେଡିର ବରିଷ୍ଠ ନେତା ଭୂପିନ୍ଦର ସିଂ। ସେ ନୂଆପଡା ଉପନିର୍ବାଚନକୁ ନେଇ କରିଛନ୍ତି ଏକ ବଡ ବିସ୍ପୋରଣ। ଯାହାକୁ ନେଇ ସାଧାରଣରେ ଏବଂ ବିଜେଡି ଦଳ ଭିତରେ ବେଶ ଚର୍ଚ୍ଚା ଚାଲିଛି। ଭୂପିନ୍ଦର ସେହିପରି ବିଧାନସଭା ନିର୍ବାଚନ ପରେ ପରେ ମଧ୍ୟ ଏକ ବିସ୍ପୋରଣ କରିଥିଲେ। ଯାହାକୁ ନେଇ ସେତେବେଳେ ମଧ୍ୟ ଏହା ବେଶ ଚର୍ଚ୍ଚା ହୋଇଥିଲା।
ଭୂପିନ୍ଦର କହିଛନ୍ତି ଯେ, ବିଜେଡିର ଭୁଲ ଯୋଗୁଁ ନୂଆପଡାରେ ଦଳ ସେଠାରେ ହାରିଲା। ସେ କହିଛନ୍ତି ଯେ, ପ୍ରାର୍ଥୀ ଚୟନରେ ଦଳ ପ୍ରଥମରୁ ଭୁଲ କରି ବସିଲା। କାରଣ ଦଳ ଯାହାକୁ ପ୍ରାର୍ଥୀ କଲା ତାଙ୍କୁ ନୂଆପଡାବାସୀ କେହି ଗ୍ରହଣ କଲେ ନାହିଁ। ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ଯେ, ନୂଆପଡାରେ ଏକ ପ୍ରଚାର ହେଲା ଯେ, ବିଜେଡି ଚାହୁଁଛି ବିଜେପି ଜିତୁ। ସେଥିପାଇଁ ଦଳ ସେଠାରେ ଯେପରି ସଫଳତା କରିବା କଥା ତାହା କରିପାରିଲା ନାହି ବୋଲି ଭୂପିନ୍ଦର କହିଛନ୍ତି।
ସେ ଆହୁରି କହିଛନ୍ତି ଯେ, ନୂଆପଡା ଉପନିର୍ବାନ ତାରିଖ ଘୋଷଣା ପରେ ପ୍ରଥମେ କଂଗ୍ରେସ ତାହାର ପ୍ରାର୍ଥୀଙ୍କ ନାମ ଘୋଷଣା କରିଦେଲା। ଏହାପରେ ବିଜେଡି ଜୟ ଢୋଲକିଆଙ୍କ ନାମ ଘୋଷଣା କରି ଦେବାର କଥା। ହେଲେ ତାହା ନ କରି ଦଳ ବହୁ ଦିନ ଧରି ଅପେକ୍ଷା କଲା। ଫଳରେ ଜୟ ଢୋଲକିଆ ବିଜେଡି ପ୍ରତି ଆସ୍ଥା ଓ ବିଶ୍ବାସ ରଖିପାରିଲେ ନାହିଁ। ସେଥିପାଇଁ ସେ ଦଳ ତ୍ୟାଗ କଲେ। ତେଣୁ ନୂଆପଡାରେ ପ୍ରଚାର ହେଲା ଯେ, ବିଜେଡି ଚାହୁଛି ବିଜେପି ବିଜୟ ଲାଭ କରୁ।
ଭୂପିନ୍ଦର କହିଛନ୍ତି ଯେ, ନୂଆପଡା ଉପନିର୍ବାଚନ ପାଇଁ ଦଳ ପ୍ରାୟ 22 ଜଣ ନେତାଙ୍କୁ ଦାୟିତ୍ବ ଦେଇଥିଲା। ହେଲେ ମୋର ନାମ ସେଥିରେ ରଖାଗଲା ନାହିଁ। ଅନ୍ୟପକ୍ଷରେ ନବୀନ ପଟ୍ଟନାୟକ ଏପରି ଅବସ୍ଥାରେ ପ୍ରଚାରକୁ ଯିବାର ଆବଶ୍ୟକ ନ ଥିଲା, ଯାହା ସାଧାରଣରେ ଲୋକେ ଗ୍ରହଣ କଲେ ନାହିଁ। ଏସବୁ ନିଷ୍ପତି ଦଳ ପାଇଁ ଠିକ୍ ନୁହେଁ ବୋଲି ଭୂପିନ୍ଦର କହିଛନ୍ତି।
ପୂର୍ବରୁ ମଧ୍ୟ ଭୂପିନ୍ଦର ଏହିପରି ବିବୃତି ଦେଇ ଚର୍ଚ୍ଚାକୁ ଆସିଥିଲେ। ସେ ସେତେବେଳେ କହିଥିଲେ ଯେ, ସାଧାରଣରେ ଆଲୋଚନା ଚାଲିଛି ଯେ, ବିଜେଡି ବିଜେପି ଏକ, ଭାଇଭାଇ। ଏହା ଦଳପାଇଁ 2024 ନିର୍ବାଚନରେ ବୁମେରାଂ ହେଲା ବୋଲି ସେ କହିଥିଲେ। ଏହାର କାରଣରେ ସେ କହିଥିଲେ ଯେ, ବିଜେଡି ଯେଉଁ ନିଷ୍ପତି ଗ୍ରହଣ କରୁଛି ତାହା ବିଜେପିକୁ ସୁହାଇବା ପରେ ନିଷ୍ପତି ଗ୍ରହଣ କରୁଛି। ବିଜେଡିରେ ଦଳଗତ ନିଷ୍ପତି ନେବା କଥା ହେଲା ବର୍ତ୍ତମାନ ଜଣଗତ ନିଷ୍ପତି ହେଉଛି ବୋଲି କହି ସେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଥିଲେ।


