ଭୁବନେଶ୍ବର: କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ ନବୀନ ନିବାସରେ ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ବର୍ତ୍ତମାନ ରାଜ୍ୟ ରାଜନୀତିରେ ଯେଉଁ ପରିସ୍ଥିତି ରହିଛି ତାହା ଆକଳନ କରିବା ସମ୍ଭବ ହେଉ ନାହିଁ। କେଉଁଠି କିଏ ମେଳି କରି ଭୋଜି କଲେ ତାହା ହଟଚମଟ ହେଉଛି। କେଉଁଠି କିଏ କାହା ଘରେ ସାକ୍ଷାତ କଲେ ତାହା ବେଶ ଚର୍ଚ୍ଚା ହେଉଛି।
ତେବେ ଏହି ଚର୍ଚ୍ଚା ଭିତରେ ନବୀନ ନିବାସରେ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ। ତେବେ ତାଙ୍କ ସାକ୍ଷାତ କୌଣସି ରାଜନୈତିକ ନ ଥିଲେ ମଧ୍ୟ ଚର୍ଚ୍ଚା ପରିସରକୁ ଆସିଛି। ମଙ୍ଗଳବାର ଦିନ ନିରଞ୍ଜନ ତାଙ୍କର କେତେକ ବନ୍ଧୁଙ୍କ ସହିତ ନବୀନଙ୍କୁ ସାକ୍ଷାତ କରିଛନ୍ତି। ତାଙ୍କ ସହିତ ଏକାଠି ବସି ଆଲୋଚନା ମଧ୍ୟ କରିଛନ୍ତି।
ତେବେ ଏହି ଭେଟଘାଟର ଉଦ୍ଦେଶ୍ୟ ହେଉଛି ଯେ ନବୀନ ପଟ୍ଟନାୟକଙ୍କୁ ଜେବି ପଟ୍ଟନାୟକ ଜନ୍ମ ଶତବାର୍ଷିକୀ ନିମନ୍ତ୍ରଣ କରିବା। ସେଥିପାଇଁ ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଜାନକୀ ବଲ୍ଲଭ ପଟ୍ଟନାୟକ ଜନ୍ମ ଶତବାର୍ଷିକୀ କମିଟିର ସଦସ୍ୟମାନେ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। ୩ ଜାନୁଆରୀ ୨୦୨୬ରେ ହେବାକୁ ଥିବା ମୁଖ୍ୟ ଶତବାର୍ଷିକୀ ସମାରୋହରେ ଆନୁଷ୍ଠାନିକ ଭାବରେ ନିମନ୍ତ୍ରଣ କରିଥିଲେ।
ଏହି ଶତବାର୍ଷିକୀ ଓଡ଼ିଶାର ତିନିଥର ମୁଖ୍ୟମନ୍ତ୍ରୀ, ଆସାମର ପୂର୍ବତନ ରାଜ୍ୟପାଳ ଏବଂ ଜଣେ ପ୍ରତିଷ୍ଠିତ ବିଦ୍ୱାନ, ସାମ୍ବାଦିକ ଏବଂ ସାହିତ୍ୟିକ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୧୦୦ ବର୍ଷ ପୂରଣ କରୁଛି। ଏହି ପଦକ୍ଷେପ ଓଡ଼ିଶାର ଶାସନ,ସଂସ୍କୃତି ଏବଂ ସାର୍ବଜନୀନ ଜୀବନରେ ଜେବି ପଟ୍ଟନାୟକଙ୍କ ଅବଦାନ ରାଜନୈତିକ ଉର୍ଦ୍ଧରେ ବୋଲି ପ୍ରମାଣିତ ହୋଇଛି।


