(କୈଳାଶ ଚନ୍ଦ୍ର ଚୌଧୁରୀ, ବ୍ରହ୍ମପୁର): ରେଶମ ନଗରୀ ବ୍ରହ୍ମପୁର ସହରର ଅଗ୍ରଣୀ ସେବା ଅନୁଷ୍ଠାନ କାହ୍ନା ଚାରିଟେବୁଲ ଟ୍ରଷ୍ଟ ଓ ସକ୍ଷୀ କିନ୍ନର ସଂଘ ପକ୍ଷରୁ ୧୫ ଯୋଡା ସାମୁହିକ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଓ ଗଜପତି ଜିଲ୍ଲାର ଅତ୍ୟନ୍ତ ଗରିବ ପରିବାରର ଝିଅମାନଙ୍କୁ ଉଭୟ ଝିଅ ଓ ପୁଅ ପରିବାରର ସହମତିରେ ସ୍ଥାନୀୟ “ଗୀତା ଭବନ” ଠାରେ ହିନ୍ଦୁ ରୀତିନୀତି ଅନୁଯାୟୀ ୧୫ ଟି ବେଦୀରେ ବିବାହ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଛି।
ଏହି କାର୍ଯ୍ୟକ୍ରମ ମଧ୍ୟରେ ଭୋଜିଭାତ ସହ ବିବାହିତ କନ୍ୟା ମାନଙ୍କୁ ବିଭିନ୍ନ ଉପହାର ପ୍ରଦାନ କରାଯାଇଥିଲା ଓ ପରିଶେଷରେ ବାଜା ବାଜଣା ଜରିଆରେ ବିରାଟ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହିଭଳି କାର୍ଯ୍ୟକ୍ରମ ଜରିଆରେ ସମାଜରେ ବାଲ୍ୟ ବିବାହ ଓ ଯୌତୁକଜନିତ ବିବାହର ଅନ୍ଧ ବିଶ୍ୱାସକୁ ଦୃଢ଼ ହସ୍ତରେ ଦମନ କରିବା ବାର୍ତ୍ତା ପ୍ରଚାର ହୋଇଛି। ବ୍ରହ୍ମପୁର ବିଧାୟକ କେ ଅନୀଲ କୁମାର, ମେୟର ସଂଘମିତ୍ରା ଦଳେଇ ଓ ପୁର୍ବତନ ବିଧାୟକ ଡଃ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ନବ ବିବାହିତ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଆୟୋଜକ ଅନୁଷ୍ଠାନ କର୍ମକର୍ତ୍ତା ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।


