ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟର ସମାଜ ବିଜ୍ଞାନ ବିଭାଗ ସ୍ୱର୍ଣ୍ଣ ଜୟନ୍ତୀ ସମାରୋହ ଉପଲକ୍ଷେ ‘‘ବିକାଶ ଏବଂ ଭାରତୀୟ ଜ୍ଞାନପ୍ରଣାଳୀ ଉପରେ ପୁନର୍ବିଚାର: ଏକ ସମାଜଶାସ୍ତ୍ରୀୟ ପ୍ରତିଫଳନ’’ ଶୀର୍ଷକ ଅନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେଉଛି। ଏହି ସମ୍ମିଳନୀ ୨ ଦିନ ଧରି ଚାଲିବ।
ପ୍ରଥମ ଦିନରେ ଏମକେସିଜି ପ୍ରେକ୍ଷାଳୟରେ ଅନୁଷ୍ଠିତ ଉଦଘାଟନୀ ଅଧିବେଶନରେ ସମ୍ମିଳନୀର ଆବାହକ ତଥା ବିଭାଗୀୟ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ରବୀନ୍ଦ୍ର ଗରଡ଼ ସ୍ୱାଗତ ଭାଷଣ ଦେଇ ସ୍ୱଦେଶୀ ଜ୍ଞାନ ପ୍ରଣାଳୀ ଆଧାରରେ ବିକାଶର ପୁନଃମୂଲ୍ୟାୟନ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ସେ ଅଭିବୃଦ୍ଧି ଆଧାରିତ ବିକାଶ ମଡେଲ ଠାରୁ କଲ୍ୟାଣ ଏବଂ ସାମାଜିକ ନ୍ୟାୟ ଦିଗରେ ପରିବର୍ତ୍ତନ ଉପରେ ଜୋର ଦେଇଥିଲେ। ଏହି ଅବସରରେ ସମ୍ମିଳନୀରେ ଉପସ୍ଥାପିତ ଗବେଷଣାପତ୍ରର ସାରାଂଶକୁ ନେଇ ସ୍ମରଣୀକା ପ୍ରକାଶ ପାଇଥିଲା।
ପିଜି କାଉନସିଲ୍ ଅଧ୍ୟକ୍ଷା ପ୍ରଫେସର ମିତାଲି ଚିନରା ସମାଜ ବିଜ୍ଞାନ ବିଭାଗର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଶୁଭକାମନା ଜଣାଇଥିଲେ। ସେ ତାଙ୍କର ଅଭିଭାଷଣରେ ଦୀର୍ଘସ୍ଥାୟୀ ବିକାଶ ଏବଂ ୨୦୪୭ ସୁଦ୍ଧା ବିକଶିତ ଭାରତ ନିର୍ମାଣ ଉପରେ ଆଲୋକପାତ କରିଥିଲେ।
ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଯଜ୍ଞେଶ୍ୱର ଦଣ୍ଡପାଟ ବିଜ୍ଞାନ ଓ କଳାରେ ଭାରତୀୟ ଜ୍ଞାନପ୍ରଣାଳୀର ଅପରିହାର୍ଯ୍ୟତା ଉପରେ ଗୁରୁତ୍ୱାରୋପ କରିଥିଲେ। ସେ ନୂତନ ଉଦ୍ଭାବନ କ୍ଷେତ୍ରରେ ପରମ୍ପରା ସହ ପ୍ରଯୁକ୍ତିବିଦ୍ୟାର ମିଶ୍ରଣ ଉପରେ ଜୋର ଦେଇଥିଲେ। କାର୍ଯ୍ୟକ୍ରମରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ନୃତତ୍ତ୍ୱ ବିଭାଗର ମୁଖ୍ୟ ପ୍ରଫେସର ସୌମେନ୍ଦ୍ର ଏମ୍. ପଟ୍ଟନାୟକ ଦୀକ୍ଷାନ୍ତ ଭାଷଣ ଦେଇଥିଲେ। ସେ କହିଥିଲେ, ବିକାଶର ଚର୍ଚ୍ଚାରେ ବିଶ୍ୱ ଦୃଷ୍ଟିକୋଣକୁ ସାମିଲ କରିବାର କ୍ଷମତା, ପାରସ୍ପରିକ ମୂଲ୍ୟବୋଧ ଏବଂ ଦୀର୍ଘସ୍ଥାୟିତ୍ୱର ମଡେଲ ହେଉଛି ଭାରତୀୟ ଜ୍ଞାନ ପ୍ରଣାଳୀର ଅଦ୍ୱିତୀୟ ଯୋଗଦାନ।
କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଡକ୍ଟର ସ୍ୱାତୀ ମିଶ୍ର, ଆମେରିକୀୟ ଗବେଷିକା ଡକ୍ଟର ଲୁଜିଲ୍ଡା ସି. ଆର୍ସିନିଗା, ଇଣ୍ଡିଆ ପିସ୍ ସେଣ୍ଟର ନିର୍ଦ୍ଦେଶକ ଆଞ୍ଜେଲିୟସ୍ ମାଇକେଲ, ଇଣ୍ଡିଆନ୍ ସୋସିଓଲୋଜିକାଲ ସୋସାଇଟିର ସଭାପତି ପ୍ରଫେସର ଡି.ଆର ସାହୁ, ଜେଏନୟୁ ପ୍ରଫେସର ନିହିଲିକା ମେହରୋତ୍ରା ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଏହି ସମ୍ମିଳନୀରେ ଚାରିଟି ପୂର୍ଣ୍ଣାଙ୍ଗ ଅଧିବେଶନ ଆୟୋଜନ କରାଯାଉଛି । ଏଥିରେ ରାଜ୍ୟ ତଥା ଦେଶ ବାହାରୁ ବହୁ ବିଶିଷ୍ଟ ଗବେଷକ, ବିଶେଷଜ୍ଞ, ସମାଜ ବିଜ୍ଞାନୀ ଓ ଛାତ୍ରଛାତ୍ରୀ ଯୋଗ ଦେଇଛନ୍ତି । ପ୍ରଥମ ଦିନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି ଅବସରରେ ସମାଜ ବିଜ୍ଞାନ ବିଭାଗର ପୂର୍ବତନ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କୁ ସମ୍ବର୍ଦ୍ଧନା ମଧ୍ୟ ଦିଆଯାଇଛି।


