ଧର୍ମକୁ ନେଇ ବିବାଦୀୟ ବୟାନ ଦେବା ମାମଲାରେ ଜାକିର୍ ନାୟକଙ୍କ ମୁସ୍କିଲ ଆହୁରି ବଢିଯାଇଛି । ଜାକିର୍ ନାଏକ ମାଲେସିଆରେ ହିନ୍ଦୁ ଧର୍ମ ବିରୋଧୀ ମନ୍ତବ୍ୟ ଦେଇ ଫସିଯାଇଛନ୍ତି। ଏହାକୁ ନେଇ ତାଙ୍କୁ କଡ଼ା ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଛି। ଗୁରୁବାର ମାଲେସିଆ ସରକାର ତାଙ୍କୁ ଜେରା କରିବା ପାଇଁ ସମନ ଜାରି କରିଛନ୍ତି। ବିବାଦୀୟ ଇସଲାମିକ୍ ପ୍ରଚାରକ ଜାକିର୍ ନାୟକ ୨୦୧୬ରୁ ଭାରତରୁ ପଳାୟନ କରି ମାଲେସିଆରେ ରହୁଛନ୍ତି। ସେ ନିକଟରେ ଏକ କାର୍ଯ୍ୟକ୍ରମରେ କହିଥିଲେ ଯେ ମାଲେସିଆରେ ରହୁଥିବା ହିନ୍ଦୁଙ୍କୁ ଭାରତରେ ରହୁଥିବା ମୁସଲମାନଙ୍କ ତୁଳନାରେ ୧୦୦ ଗୁଣା ଅଧିକ ଅଧିକାର ମିଳୁଛି। ଏହାପରେ ମାଲେସିଆର କେତେକ ମନ୍ତ୍ରୀ ଜାକିର ନାଏକଙ୍କୁ ଦେଶରୁ ନିର୍ବାସିତ କରିବାକୁ କହିଥିଲେ। ସରକାରଙ୍କ ଉପରେ ଚାପ ବଢିବା ପରେ ତାଙ୍କୁ ଜେରା ପାଇଁ ସମନ ଜାରି କରାଯାଇଛି। ଜାକରି ନାଏକ ୩ ବର୍ଷ ହେବ ମାଲେସିଆରେ ରହୁଛନ୍ତି। ଭାରତରେ ଜାକିର ନାଏକଙ୍କ ବିରୋଧରେ ବେଆଇନ ଅର୍ଥକାରବାର, ଉତ୍ତେଜକ ଭାଷଣ ଦେବା ଆଦି ଅଭିଯୋଗ ରହିଛି। ମାଲେସିଆ ଗୃହମନ୍ତ୍ରୀ ମୁହିଦ୍ଦିନ ୟାସିନ କହିଛନ୍ତି ଯେ ନାଏକ ଦେଶ ଓ ଧର୍ମ ବିରୋଧୀ ମନ୍ତବ୍ୟ ଦେବା ସହ ମିଥ୍ୟା ଖବର ପ୍ରଚାର କରୁଛନ୍ତି। ସେଥିପାଇଁ ତାଙ୍କୁ ଏବଂ ଅନ୍ୟ କେତେକ ବ୍ୟକ୍ତିଙ୍କୁ ପଚରାଉଚୁରା କରାଯିବ। ଦେଶର ଶାନ୍ତି ଓ ସ୍ଥିରତା ଭାଙ୍ଗିବାକୁ ଚେଷ୍ଟା କରୁଥିବା ଲୋକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ।