ଭୁବନେଶ୍ବର:ଅଧିକାରୀମାନେ ସବୁବେଳେ ଲୋକଙ୍କ ପାଇଁ କାମ କରିବା ଉଦ୍ଦେଶ୍ୟ ରଖିବା ଆବଶ୍ୟକ। କାରଣ ସେମାନେ ହେଉଛନ୍ତି ଲୋକସେବକ। ଆଜି ସାଧାରଣ ପ୍ରଶାସନ ବିଭାଗ ତରଫରୁ ବିଦାୟ ସମ୍ବର୍ଦ୍ଧନା ଉତ୍ସବରେ ଏହା କହିଛନ୍ତି ବିଦାୟୀ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ। ମୁଖ୍ୟ ଶାସନ ସଚିବ ପଦବୀରୁ ବିଦାୟ ନେଉଥିବାରୁ ତାଙ୍କୁ ସାଧାରଣ ପ୍ରଶାସନ ବିଭାଗର ଅଧିକାରୀମାନେ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି। ଏହି ସଭାରେ ବିଦାୟୀ ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ଅଧିକାରୀମାନେ ଲୋକ ବିଶ୍ବାସରେ ବାନ୍ଧି ହୋଇ ରହିଛନ୍ତି। ଲୋକମାନେ ସରକାର ତିଆରି କରିଛନ୍ତି। ସେଥିପାଇଁ ସରକାରଙ୍କ ଦ୍ବାରା ନିଯୁକ୍ତ ଅଧିକାରୀମାନେ ସବୁବେଳେ ସେହି ଲୋକଙ୍କ ସେବା କରିବା ଆବଶ୍ୟକ। ଲୋକସେବା ଭବନର ଆୟୋଜିତ ଏହି ସଭାରେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମିନା ଅଧ୍ୟକ୍ଷତା କରିଥିଲେ। ଆଦିତ୍ୟ ପାଢୀ ହେଉଛନ୍ତି ଉତ୍ସର୍ଗୀକୃତ ସେବା, ନ୍ୟାୟବନ୍ତ ଏବଂ ସଚ୍ଚୋଟତାର ଏକ ବଳିଷ୍ଠ ଉଦାହରଣ ବୋଲି ମିନା କହିଥିଲେ। ଆଦିତ୍ୟ ପାଢୀ ଆସନ୍ତା ସୋମବାର ଦିନ ଓଡିଶା ରାଜ୍ୟ ନିର୍ବାଚନ କମିଶନର ଭାବେ ଯୋଗଦେବେ।