ନୂଆଦିଲ୍ଲୀ : ଦିଲ୍ଲୀ-ନିଜାମୁଦ୍ଦିନ ଯାଉଥିବା ରାଜଧାନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଛି। ଏହି ଟ୍ରେନ୍ର ଦୁଇଟି କୋଚରେ ଅଗ୍ନିକାଣ୍ଡ ଘଟି ଆତଙ୍କ ସୃଷ୍ଟି ହୋଇଛି। ରବିବାର ସକାଳେ ଏହି ଘଟଣା ଆଲୋଟ ଏବଂ ବିକ୍ରମଗଡ଼ ରେଳ ଷ୍ଟେସନ ମଧ୍ୟରେ ଘଟିଛି। ଅଗ୍ନିକାଣ୍ଡ ଯୋଗୁଁ ଦିଲ୍ଲୀ-ମୁମ୍ବାଇ ରେଳ ରୁଟରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଫଳରେ ବିଭିନ୍ନ ଷ୍ଟେସନରେ ଅନେକ ଟ୍ରେନ ଅଟକି ରହିଛି।
ପ୍ରାଥମିକ ସୂଚନା ଅନୁଯାୟୀ, ତ୍ରିଭେନ୍ଦ୍ରମରୁ ହଜରତ ନିଜାମୁଦ୍ଦିନ ଯାଉଥିବା ରାଜଧାନୀ ଏକ୍ସପ୍ରେସ୍ ରତଲାମରୁ ଯାତ୍ରା କରିଥିଲା। ପ୍ରାୟ ସକାଳ ୫.୩୦ ସମୟରେ, ଲୁନି ଏବଂ ବିକ୍ରମଗଡ଼ ମଧ୍ୟରେ ଟ୍ରେନର କୋଚ୍ ବି-୧ ରେ ନିଆଁ ଲାଗିଯାଇଥିଲା। ଏହି ଘଟଣା ପରେ, ରେଳ କର୍ମଚାରୀମାନେ ପ୍ରାୟ 68 ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ବାହାର କରି ଅନ୍ୟ କୋଚକୁ ସ୍ଥାନାନ୍ତର କରିଥିଲେ। ସୂଚନା ପାଇବା ପରେ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ଆରମ୍ଭ କରିଥିଲେ। ଏଥିରେ କେହି ମୃତାହତ ହୋଇଥିବାର ସୂଚନା ମିଳିନାହିଁ ।


