ପୁରୀ: ଆଜି ଅଣସରର ଷଷ୍ଠ ଦିବସ । ମହାପ୍ରଭୁଙ୍କ ନିକଟରେ ଫୁଲରୀ ତେଲ ଲାଗି ହୋଇଛି । ଏବେ ମହାପ୍ରଭୁ ଧୀରେ ଧୀରେ ସୁସ୍ଥ ହେବେ । ଅଣସର ନୀତି ଅନୁଯାୟୀ ଦଇତାପତି ସେବକମାନେ ମହାପ୍ରଭୁଙ୍କ ନିକଟରେ ପଣା ଓ ଚକଟା ଭୋଗ ଲାଗି କରୁଛନ୍ତି। ଅଣସରର ଚତୁର୍ଥ ଦିନରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଫିଟା ନୀତି ସମ୍ପନ୍ନ ହୋଇଥିବାବେଳେ, ପଞ୍ଚମ ଦିନରେ ଅଣସର ଗୃହରେ ଦାରୁଦିଅଁଙ୍କ ଶ୍ରୀଅଙ୍ଗରେ ପାରମ୍ପରିକ ଫୁଲୁରୀ ତେଲ ଲାଗି କରାଯାଇଛି।
ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ବଡ଼ ଓଡ଼ିଆ ମଠ ପକ୍ଷରୁ ମହାପ୍ରଭୁଙ୍କ ସେବା ପାଇଁ ୬ ସେର ଫୁଲୁରୀ ତେଲ ଯୋଗାଇ ଦିଆଯାଇଛି। ଘଣାପେଡ଼ା ରାଶିତେଲରେ ୧୪ ପ୍ରକାରର ସୁଗନ୍ଧିତ ପୁଷ୍ପ, ୭ ପ୍ରକାର ଔଷଧୀୟ ଚେରମୂଳ ସହ କେତକୀ, ହେନା, ଜୁଇ, ମଲ୍ଲୀ ଆଦି ସୁବାସିତ ଦ୍ରବ୍ୟ ମିଶାଇ ଏହି ତେଲ ପ୍ରସ୍ତୁତ କରାଯାଏ। ପ୍ରସ୍ତୁତ ତେଲକୁ ଏକ ପାତ୍ରରେ ରଖି ପ୍ରାୟ ଏକ ବର୍ଷ ପର୍ଯ୍ୟନ୍ତ ମାଟିତଳେ ପୋତି ରଖାଯାଇଥାଏ। ଦେବସ୍ନାନ ପୂର୍ଣ୍ଣିମାର ପୂର୍ବଦିନ ଏହାକୁ ମାଟିତଳୁ ବାହାର କରାଯାଇ ଅଣସର ନୀତିରେ ବ୍ୟବହାର କରାଯାଏ।
ପରମ୍ପରା ଓ ବିଶ୍ୱାସ ଅନୁଯାୟୀ, ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଫୁଲୁରୀ ତେଲ ଲାଗି କରାଯିବା ପରେ ଜ୍ୱରରୁ ସେ ସାମାନ୍ୟ ଆଶ୍ୱସ୍ତି ଲାଭ କରିଥାନ୍ତି। ଅଣସର ନୀତିର ଏହି ସ୍ୱତନ୍ତ୍ର ପରମ୍ପରାକୁ ଶ୍ରଦ୍ଧା ଓ ନିଷ୍ଠାର ସହ ପାଳନ କରାଯାଉଛି।


