ଜୟପୁର: ଲାଞ୍ଚ କାରବାର ବିରୋଧରେ ଭିଜିଲାନ୍ସର ବଡ଼ କାର୍ଯ୍ୟାନୁଷ୍ଠାନ। ଜୟପୁରର ଡେପୁଟି ଡିରେକ୍ଟର ମାଇନ୍ସ ସତ୍ୟଜିତ ରାଉତ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏହାପରେ ତାଙ୍କ ବିରୋଧରେ ଆୟବହିର୍ଭୂତ ସମ୍ପତ୍ତି ତଦନ୍ତ ଆରମ୍ଭ କରାଯାଇଥିବା ବେଳେ ଏକକାଳୀନ ୩ଟି ଠିକଣାରେ ଚଢ଼ାଉ ଜାରି ରହିଛି।
ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଏକ ବାଲି ଖାଦାନର ଲିଜ୍ ଅବଧି ବୃଦ୍ଧି କରିବା ପାଇଁ ସତ୍ୟଜିତ ରାଉତ ଜଣେ ଆବେଦନକାରୀଙ୍କ ଠାରୁ ମୋଟା ଅଙ୍କର ଲାଞ୍ଚ ଦାବି କରିଥିଲେ। ପୂର୍ବ ଯୋଜନା ଅନୁସାରେ ଭିଜିଲାନ୍ସ ଟିମ୍ ଜାଲ ବିଛାଇଥିଲା ଏବଂ ଟଙ୍କା ଗ୍ରହଣ କରୁଥିବା ସମୟରେ ତାଙ୍କୁ ହାତେନାତ ଧରିଥିଲା।
ଗିରଫ ପରେ ଭିଜିଲାନ୍ସ ଟିମ୍ ତାଙ୍କ ସମ୍ପତ୍ତିର ଖୋଳତାଡ଼ ଆରମ୍ଭ କରିଛି। ଜୟପୁରର ଲିଙ୍ଗରାଜନଗର ସ୍ଥିତ ବାସଭବନରେ ଚଢ଼ାଉ ସମୟରେ ଅତିରିକ୍ତ ୨.୯ ଲକ୍ଷ ଟଙ୍କା ନଗଦ ଜବତ ହୋଇଛି। ଏହାକୁ ମିଶାଇ ଏପର୍ଯ୍ୟନ୍ତ ମୋଟ ୪.୯ ଲକ୍ଷ ଟଙ୍କା ଜବତ କରାଯାଇଥିବା ସୂଚନା ମିଳିଛି।
ଏହା ସହ କଟକ ଜିଲ୍ଲାର ବିଦ୍ୟାଧରପୁର ଓ ଓଳକଣା ସ୍ଥିତ ତାଙ୍କ ପୈତୃକ ଘରରେ ମଧ୍ୟ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛି। ତଦନ୍ତକାରୀ ଅଧିକାରୀମାନେ ବ୍ୟାଙ୍କ ଖାତା, ଜମିଜମା ସମ୍ବନ୍ଧୀୟ କାଗଜପତ୍ର, ବିନିଯୋଗ ଓ ଅନ୍ୟାନ୍ୟ ସମ୍ପତ୍ତିର ଯାଞ୍ଚ କରୁଛନ୍ତି।
ଭିଜିଲାନ୍ସ ତଦନ୍ତ ଜାରି ରହିଥିବାରୁ ଆଗାମୀ ଦିନରେ ଅଧିକ ନଗଦ ଅର୍ଥ କିମ୍ବା ଆୟବହିର୍ଭୂତ ସମ୍ପତ୍ତି ସମ୍ପର୍କିତ ତଥ୍ୟ ସାମ୍ନାକୁ ଆସିବାର ସମ୍ଭାବନା ରହିଛି। ଏହି ଘଟଣା ରାଜ୍ୟରେ ଦୁର୍ନୀତି ବିରୋଧୀ ଅଭିଯାନକୁ ପୁଣିଥରେ ଚର୍ଚ୍ଚାକୁ ଆଣିଛି।


