ଭୁବନେଶ୍ଵର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତମାନଙ୍କ ପାଇଁ ଦାନ ପ୍ରକ୍ରିୟାକୁ ଅଧିକ ସରଳ, ସ୍ୱଚ୍ଛ, ସୁବିଧାଜନକ କରିବା ଦିଗରେ ଆମ ସରକାରଙ୍କ ଆଉ ଏକ ଐତିହାସିକ ପଦକ୍ଷେପ ସ୍ୱରୂପ ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ଦିରର ଡିଜିଟାଲ୍ ହୁଣ୍ଡି “ସମର୍ପଣ” ୱେବ୍ ପୋର୍ଟାଲ ଏବଂ ମୋବାଇଲ୍ ଆପ୍ର ଶୁଭ ଉନ୍ମୋଚନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚ଼ରଣ ମାଝିଙ୍କ ସହ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗଦେଇଛନ୍ତି।
ଏହି ଡିଜିଟାଲ୍ ବ୍ୟବସ୍ଥା ମାଧ୍ୟମରେ ଦେଶ ଓ ବିଦେଶରେ ବସବାସ କରୁଥିବା କୋଟି କୋଟି ଜଗନ୍ନାଥ ପ୍ରେମୀ ଏବଂ ଭକ୍ତମାନେ ଯେକୌଣସି ସ୍ଥାନରୁ, ଯେକୌଣସି ସମୟରେ ସୁରକ୍ଷିତ ଏବଂ ସ୍ୱଚ୍ଛ ପ୍ରଣାଳୀରେ ମହାପ୍ରଭୁଙ୍କ ପାଖରେ ନିଜର ଦାନ ସମର୍ପଣ କରିପାରିବେ।
ଆଧୁନିକ ପ୍ରଯୁକ୍ତି ସହ ଆମର ସନାତନ ପରମ୍ପରାକୁ ଯୋଡ଼ି, ମହାପ୍ରଭୁଙ୍କ ଦିବ୍ୟ ସେବାରେ ନିଜକୁ ସାମିଲ କରିବା। ଆପଣଙ୍କ ପ୍ରତ୍ୟେକ ସମର୍ପଣ ଭକ୍ତିର ପ୍ରତୀକ ଓ ଶ୍ରୀଜଗନ୍ନାଥଙ୍କ ଚରଣରେ ଏକ ପବିତ୍ର ଅର୍ପଣ।
ଏହି ଅବସରରେ ମାନ୍ୟବର ଖଣି, ଇସ୍ପାତ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନା, ମାନ୍ୟବର ପୁରୀ ଲୋକସଭା ସାଂସଦ ଡ଼ଃ ସମ୍ବିତ ପାତ୍ର, ମାନ୍ୟବର ପୁରୀ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ତଥା ସତ୍ୟବାଦୀ ବିଧାୟକ ଶ୍ରୀ ଓମ ପ୍ରକାଶ ମିଶ୍ର,ମାନ୍ୟବର ପିପିଲି ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ଓ ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଡ଼ଃ ଅରବିନ୍ଦ ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ।


