ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟ ପରିସରରେ ଆଜି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଏକାଦଶ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ଏକ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଯୁକ୍ତ ତିନିର ଛାତ୍ର ଛାତ୍ରୀମାନେ ନବାଗତ ଏକାଦଶ ଶ୍ରେଣୀର ଶିକ୍ଷାର୍ଥୀମାନଙ୍କୁ ପ୍ରଜ୍ଞା ଭବନ ସଭାଗୃହକୁ ପାଛୋଟି ନେବା ସହ ସେମାନଙ୍କ ମଥାରେ ପୁଷ୍ପ, ଚନ୍ଦନ ଓ ଅରୁଆଚାଉଳ ଛିଞ୍ଚନ ପୂର୍ବକ ସ୍ୱାଗତ କରିଥିଲେ। ଏହାପରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ଲଷ୍ମୀଧର ସୁବୁଦ୍ଧିଙ୍କ ସଭାପତିତ୍ୱରେ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏଥିରେ ଯୁକ୍ତ ଦୁଇ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ, ଡକ୍ଟର କୈଳାସ ଚନ୍ଦ୍ର ମହାରଣା, ଡକ୍ଟର ମୋନାଲିସା ମାନସିଂହ,ଅଧ୍ୟାପକ ସୁବ୍ରତ କୁମାର ତ୍ରିପାଠୀ, ବିଦ୍ୟାଧର ଜୁଝାରସିଂହ, ପ୍ରବୀଣ କୁମାର ଜେନା ମୃଦାନୀ ଶଙ୍କର ପ୍ରସାଦ ମିଶ୍ର, ହିମାଂଶୁ କୁମାର ଦାଶ, ଅଧ୍ୟାପିକା ରୀନା ରାଉତ, ବିମଳ କୁମାର ପଣ୍ଡା, ମୁଖ୍ୟ କିରାଣୀ ସୁଧାକର ନାୟକ ପ୍ରମୁଖ ଯୋଗଦେଇ ଅନୁଷ୍ଠାନର ଇତିହାସ, ଶୈକ୍ଷିକ ପରମ୍ପରା, ପୂର୍ବ ପରୀକ୍ଷାରେ ଛାତ୍ର ଛାତ୍ରୀଙ୍କ ଉଲ୍ଲେଖନୀୟ ସଫଳତା, ବିବିଧ ସର୍ଜନଶୀଳତା, ଉତ୍କର୍ଷତା, ଶ୍ରେଣୀ ଶୃଙ୍ଖଳା, ସହ-ଶୈକ୍ଷିକ କାର୍ଯ୍ୟକ୍ରମ, ଛାତ୍ର ବୃତ୍ତି, ଦିବ୍ୟାଙ୍ଗ ଓ ଆର୍ଥିକ ଅନଗ୍ରସର ଶିକ୍ଷାର୍ଥୀଙ୍କ ସୁବିଧା ସୁଯୋଗ, ଆନୁସଙ୍ଗିକ ପ୍ରୋତ୍ସାହନ, ପାଠାଗାର ଓ ପ୍ରତିଯୋଗିତା ମୂଳକ ମାଗଣା କୋଚିଂ, ନୈତିକ ଶୃଙ୍ଖଳା ସହିତ ଶିକ୍ଷାୟତନ ସମ୍ପର୍କିତ ସାମଗ୍ରିକ ତଥ୍ୟ ଓ ଦିଗଦର୍ଶନ ପ୍ରଦାନ କରିଥିଲେ। ନବାଗତ ଶିକ୍ଷାର୍ଥୀଙ୍କ ମଧ୍ୟରୁ ଛାତ୍ରୀ ସୌମ୍ୟାଶ୍ରୀ ପ୍ରଧାନ ନିଜର ପ୍ରଥମ ଦିନର ସୁନ୍ଦର ଅନୁଭୂତି ଉପସ୍ଥାପନା କରିଥିଲେ। ପ୍ରଶାସନିକ ଅଧିକାରୀ ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣା ମଞ୍ଚ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।


